ଆସ ବନ୍ଧୁ ଯିବା ଗାଁ କୁ ଫେରି
ଆସ ବନ୍ଧୁ ଯିବା ଗାଁ କୁ ଫେରି
ଆସ ଯିବା ବନ୍ଧୁ ଗାଁକୁ ଫେରି
ତୋଳିବା ସେଇଠି ଘର
ସେନେହ ପୀରତି ବାଣ୍ଟିବା ସେଇଠି
ଗଢିବା ସୁନା ସଂସାର ।
ସହର ଟା ସିନା ଚାକଚକ୍ୟେ ଭରା
ଭରିଛି କେତେ ଯେ ବିଷ
ସ୍ନେହ ବଦଳରେ ପ୍ରତାରଣା ଏଠି
ମିଳେନାହିଁ ଖୋଲା ହସ ।
ଗାଁ ମାଟି ଗୋଡି ପାଣି ପବନ ଯେ
କହେ କେତେ ମିଠା କଥା
ଥରୁଟିଏ ସେଠି ପାଦ ରଖି ଦେଲେ
ପାଦ ଲାଖିଯାଏ ଛାଡିଲେ ଲାଗଇ ବ୍ୟଥା
ହିଂସ୍ର ଜନ୍ତୁ ସମ ସହରି ମଣିଷ
ଦିନ ରାତି ବାଣ୍ଟେ ବିଷ
ଅଣ ନିଶ୍ୱାସୀ ଏ ସଂସାର ଜଞ୍ଜାଳେ
ମନ ଚାହେଁ ଟିକେ ହସ ।
ଗାଁରେ ଆମର ସିନା ଚାଳଘର
ହେଲେ ସହରଠୁ ଭଲ
ନଥାଏ ସେଠାରେ ଛନ୍ଦ କି କପଟ
ସଭିଏଁ ବୁଝନ୍ତି ସ୍ନେହର ମୂଲ ।
ଗାଁ ସୁଖ କାହୁଁ ସହରେ ମିଳିବ
ଏଠି କାହିଁ ବା ପ୍ରକୃତି ରାଣୀ
ନଦୀ ନାଳ ତୋଟା କ୍ଷେତ ବାଡି ପଠା
ମନକୁ ଯେ ନେବ ଟାଣି ।
ସହର ବଜାର ଲାଗେ ଅନ୍ଧାରୁଆ
ଚାରିଆଡେ ଧୂଳି ଧୂଆଁ
ସହର ରେ ଖାଲି କଙ୍କ୍ରିଟ୍ ଜଙ୍ଗଲ
ସଭିଙ୍କ ମନରେ ନିଆଁ ।