ଚାଲ ପୁଣିଥରେ
ଚାଲ ପୁଣିଥରେ
ଚାଲ୍ ପୁଣି ଥରେ ...
ରବର ରେ ପୋଛିଦେବା ମନ ତଳ କଳା ଦାଗ..
ବସ୍ତାନି ରେ ବୋହି ଧାଇଁବା
ମେଞ୍ଚା ମେଞ୍ଚା ଖୁସି ର ଆଶାଢି ମେଘ..
ତୁ ମୋ ଉପରେ ଫିଙ୍ଗି ଦେବୁ କିଛି
ମୁଁ ତୋ ଦେହରେ ଲେସି ଦେବି କିଛି
ଆଉ ଦୁହେଁ ମିଶି ତାଳ ସରେଇ ରେ ନେଇ ବୁଣିଦେବା
ସୁଖ ଦୁଃଖ ର ସେ ଅନଙ୍ଗ ରଙ୍ଗ...
ଚାଲ୍ ପୁଣି ଥରେ...
ରଙ୍ଗ ପେନସିଲ ଧରି ଆଙ୍ଗୁଠି ନରମ ସନ୍ଧି ରେ
ସଜାଡିବା ଜୀବନ ର ଦିଗ...
ଛିନ୍ନଛତ୍ର ବିଞ୍ଚିହେଇ ପଡିଛି ସମ୍ପର୍କ ର ମିଠା ଛିଟା
ତାକୁ ସାଉଣ୍ଟି ଧରି ଭରିଦେବା ମଧୂର ସୁହାଗ...
ଆଉ ଚିତ୍କାର କରି କହିବା
ଅନ୍ନକ୍ଲିଷ୍ଟ ସମାଜରେ ଚକମକ୍ ଆଲୋକ ସବୁକିଛି ନୁହେଁ
ଆମ ଗାଁ ର ଭଙ୍ଗା ଡିବିରିଟିଏ ବି ଗାଇପାରେ
ଜୀବନ ର ମଧୂମହ୍ଲାର ରାଗ...
ଚାଲ୍ ପୁଣି ଥରେ...
କଳାପଟା ରେ ଆଙ୍କିଦେବା
ଭେଜାଲ୍ ବିହୀନ ପ୍ରେମ ର ନିଃସ୍ଵାର୍ଥ ଉତ୍ସର୍ଗ...
ଶଗଡ ଚକ ପରି ଛୁଇଁ ଚାଲିବା
ଏ ପ୍ରାଣ ରୁ ସେ ହୃଦୟ ଯାଏଁ ନିବିଡ ବନ୍ଧନ ର ପରାଗ...
ନା ଥିବ ଦିଗନ୍ତ ନା ହେଉଥିବ ଅନ୍ତ..
ସେଦିନ..
ଓଦା ସରସର କାଦୁଅ ମଚମଚ ରାସ୍ତା ର
ମେଞ୍ଚାଏ କାଦୁଅ ରେ କାହାଣୀ ଟେ ଥିଲି ମୁଁ ଜୀବନ୍ତ...
ଆଜି ମାର୍ବଲ ଚଟାଣ ; ଶୀତତାପ ନିୟନ୍ତ୍ରିତ କୋଠରୀ ;
ଅତ୍ୟାଧୁନିକ ଜୀବନଶୈଳୀ ; ମାର୍ଜିତ ଚାଲି ଚଲଣି ; ରାଜକୀୟ ଖାଇବା ପିଇବା ;ସବୁକିଛି ଅଛି
ହେଲେ ସେ ସମ୍ପର୍କ...ସେ ସୁଖ...ସେ ଖୁସି..ସେ ଶାନ୍ତି ...??
ସେ ସବୁ ନିମିଶାରଣ୍ୟେ ନେଇ ସାରିଛନ୍ତି ବୈରାଗ୍ୟ...
ସେଥିପାଇଁ ତ କହେ-" ଚାଲ୍ ପୁଣି ଥରେ ଫେରିଯିବା
ଅତୀତ ର ମଧୂବନ କିଆ ଗହିରୀ ଆମ୍ବ ତୋଟା କୁ...
ହୁଏତ ସେଠି ଏ ସହର ର କିଛି ନ ଥାଇ ପାରେ
କିନ୍ତୁ ତା ଶୀତଳଛାୟା ର ଉଷୁମ ଛାତିରେ
ସବୁକିଛି ପାଇଯିବା ଜୀବନ କଣ ଚିହ୍ନିବାକୁ...
ମନ କଣ ଜାଣିବାକୁ - ସୁଖ କଣ ପରଖିବାକୁ...
ସମ୍ପର୍କ ର ଗଭୀରତା ମାପିବାକୁ...
ତେବେ ଚାଲ ପୁଣି ଥରେ ..."