ତୁମ ପରି ପ୍ରଭୁ ଜଗତରେ ନାହିଁ
ତୁମ ପରି ପ୍ରଭୁ ଜଗତରେ ନାହିଁ
ଚନ୍ଦ୍ର ସୂର୍ଯ୍ୟ ସମ ବେନି ନୟନରେ
ପାପ ପୂଣ୍ୟ ପରା ସବୁ ଦେଖୁଛ
ପଲକ ନ ଥିବା ଚକାଆଖି ଧରି
ଗମ୍ଭିରା ଭିତରେ ବସି ରହିଛ ll
ଶଙ୍ଖଚକ୍ର ଧରି ବେନି କରରେ
ନୀଳକନ୍ଦରରେ ଶୋଭାପାଉଛ
ପତିତମାନଙ୍କ ତାରଣ ପାଇଁ
ପତିତପାବନ ନାମ ରଖିଛ ll
ଭାଇଭଉଣୀର ପବିତ୍ର ସମ୍ପର୍କ
ପୃଥିବୀ ବାସୀକୁ ଶିଖାଇଛ
ପତିତପାବନ ବାନାକୁ ଉଡାଇ
ନୀଳାଚଳ ଧାମେ ତୁମେ ବସିଛ ll
ବରଷକୁ ଥରେ ରଥରେ ବସି
ମାଉସୀ ଘରକୁ ବିଜେ କରୁଛ
ପୋଡ଼ପିଠା ଖାଇ ଅତି ସରାଗରେ
ସ୍ତ୍ରୀକୁ ଛାଡି ଦାଣ୍ଡେ ବୁଲୁଛ ll
ଅଦ୍ଭୁତ ତୁମର ଲୀଳାଖେଳା ଅଟେ
ଭକ୍ତଙ୍କ ଭାବରେ ବନ୍ଧା ପଡିଛ
ଯେଉଁ ରୂପରେ ତୁମକୁ ଡାକିଲେ
ସେହି ରୂପେ ତୁମେ ଦେଖା ଦେଉଛ ll
ଜୀବନର ପ୍ରତି ମୁହୂର୍ତ୍ତରେ ତୁମେ
ପାଖେପାଖେ ପରା ଜଗି ରହିଛ
ନାଲି ଅଧରରେ ହସି ଦେଇକରି
କୋଳାଗ୍ରତ କରି ପାଶେ ନେଉଛ ll
ଜୀବନ ନାଆରେ ନାଉରିଆ ସାଜି
ଜୀବନ ଦୀପକୁ ଚଳାଉଛ
ଚଲାପଥ ଆମ କୁସୁମିତ କରି
ସଂସାରର ଦୁଃଖ ତୁମେ ନାଶୁଛ ll
ଜାତିଭେଦ କିଛି ତୁମ ପାଖେ ନାହିଁ
ସାଲବେଗ ଡାକ ତୁମେ ଶୁଣିଛ
ଦାସିଆ ବାଉରୀ ନଡ଼ିଆ ଖାଇଣ
ବନ୍ଧୁ ମହାନ୍ତିଙ୍କ ବନ୍ଧୁ ହୋଇଛ ll
ଧନ୍ୟ ହେଲୁ ଆମେ ତୁମକୁ ପାଇଣ
ବିଚିତ୍ର ଲୀଳାରେ ମନ ମୋହୁଛ
ତୁମ ପରି ପ୍ରଭୁ ଜଗତରେ ନାହିଁ
ପ୍ରେମ ଡୋରିରେ ବାନ୍ଧି ଦେଇଛ ll
ସୁକାନ୍ତି ହୋତା
ତାଳଚେର