ଅସହାୟ ଜୀବନ
ଅସହାୟ ଜୀବନ
ସମୟ ବିତିଛି ସଂପର୍କ ହଜିଛି ନାହିଁ ସେଇ ଦିନ,
ଦୁର୍ବଳ, ଜର୍ଜର କାୟା ଆଜି ହୋଇଛି ଶ୍ରୀହୀନ,
କମ୍ପିତ ହସ୍ତ ପାଦ ଦୃଷ୍ଟି ବି ହୋଇଛି ମଳିନ ।
ଦିନ ଥିଲା ଚାଲୁଥିଲା ସାଥେ ସାଥେ ଧରି ଯେଉଁ ହାତ,
ମନେ ଥିଲା ଦୃଢ ପ୍ରତ୍ଯୟ ,ନ ଥିଲା ମନେ କିଞ୍ଚିତ ଭୟ ,
ନିଜ ଲହୁ ଲୁହରେ ଶକ୍ତ କରି ଗଢିଥିଲା ଯେଉଁ ହାତ ,
ଜରାଗ୍ରସ୍ତ ଦୁର୍ବଳ ହାତେ ଆଜି ଆଶା ବାଡି ହିଁ ହୋଇଛି ସହାୟ ।
ସ୍ନେହ, ଆଦରର ଜଳ ସିଞ୍ଚି ଗଢିଥିଲା ଯେ ଜୀବନ ,
ଯା ଆଖିରେ ସୁନ୍ଦର ସ୍ବପ୍ନ ଦେଖି ହେଉଥିଲା ବିଭୋର,
ସେ ଆଖି ହରାଇଛି ଦୃଷ୍ଟି , ଜ୍ଯୋତି ତାର ହୋଇଛି ମଳିନ,
ନିଦ ହଜିଛି ହଜିଛି ସ୍ବପ୍ନ , ଆଖି ରେ ଭରିଛି ଖାଲି ଅନ୍ଧକାର ।
ଅଜଣା ରାଇଜ, ଅଦେଖା ମୁଲକ, ସନ୍ତାପିତ ଜୀବନ ,
ଏକାକୀତ୍ବର ଯନ୍ତ୍ରଣା ଆଉ ହାହାକାରମୟ ଜୀବନ ,
ସବୁ ସ୍ବପ୍ନ, ସବୁ ଆଶା ,ସବୁ ଇଚ୍ଛା ର ଆଜି ହୋଇଛି ମରଣ ,
' ବୃଦ୍ଧାଶ୍ରମ' ର କୋଳାହଳେ ଶୁଭେ ଖାଲି ମୃତ୍ଯୁ ର ଆହ୍ବାନ ।