ପରାଜିତ
ପରାଜିତ
ଚାପି ନେଇ ବୁକେ, ଯେତେ ମୋ ବେଦନା
ହସି ହସି ମୁଁ ଗୋ ଯିବି ଚାଲି,
ମଥା ପାତି ନେବି ଆସୁ ଯେତେ ଝଡ
ତୁମ ସ୍ମୃତି ମୋର ଶରଧା ବାଲି ।।
ଭୁଲି ଗୋ ଯାଉଛି, ଯେତେ ଯାହା ସବୁ
ମନେ ରଖିବାର କଥା ମାନ,
କି ଲାଭ କୁହନି, କୁହୁଳି ମରିଲେ
ନ ବୁଝିଲ ଯଦି ମୋର ପ୍ରେମ ।
ଭାବୁନି ଆଉ ମୁଁ, କାଲି କି ଆସିବ
ଜୀବନେ କି ଥିଲା କାଲି,
ଚାପି ନେଇ ବୁକେ ଯେତେ ମୋ ବେଦନା
ହସି ହସି ମୁଁ ଗୋ ଯିବି ଚାଲି ।।
ସମୁଦ୍ର ବେଳାରେ ଲହଡି କୋଳରେ
ଗଢିଦେଲ ଯାହା ମିଛ ମିଛ ବାଲିଘର,
ଝାଉଁ ବଣ ସିନା ସାକ୍ଷୀ ରହିଥିଲା
ଜାଣିତ ନଥିଲା ପ୍ରେମ ତୁମ ପାଇଁ ଖେଳ ।
ଜୁଆରରେ ଯେବେ ବୋହିଗଲା ଘର
ହସି ହସି ତୁମେ ଗଲ ଚାଲି,
ହାରିଗଲି ସତେ ଜୀବନର ଖେଳ
ଝୁରୁ ଝୁରୁ କରି ବୋହିଗଲା ଯେତେ
ପାଦ ତଳ ଚୋରା ବାଲି ।
ମନ ନେଇ ସତେ, ବଣିଜ ହୁଏନା
କିଏ ଦେବ ତା’ର ମୂଲ,
ଅମୂଲ୍ୟ ସିଏ ତ, ସୁକୋମଳ ସିନା
ସତେ ବା ଗୋଟିଏ ଫୁଲ ।
ହାରିଯାଏ ଯେବେ, ଜୀବନରେ କେବେ
କାନ୍ଦେ ସିନା ଫୁଲି ଫୁଲି,
ଚାପି ନେଇ ବୁକେ ଯେତେ ମୋ ବେଦନା
ହସି ହସି ମୁଁ ଗୋ ଯିବି ଚାଲି ।।