ଶିକ୍ଷା ଜୀବନର ରାହା
ଶିକ୍ଷା ଜୀବନର ରାହା
ସମଗ୍ର ଜୀବନ ଅଟେ ଆମ ଶିକ୍ଷା
ଉକ୍ତି ଏ ଯେ କାଳଜୟୀ ।
ମହଯୋଗୀ ଶ୍ରୀଅରବିନ୍ଦ ବାଣୀ
ଅଟଇ ଯେ ଚିରସ୍ଥାୟୀ ।।
ଜନନୀ ଜଠରୁ ମସାଣି ଯାବତ
ମଣିଷ ଜୀବନ ନୁହେଁ ।
ଅଭିଜ୍ଞତା ଆଉ ଅନୁଭୂତି ଶିକ୍ଷା
ଜୀବନେ ଦିଶା ଦେଖାଏ ।।
ସାନ ଅବା ବଡ ,ଦୀନ ବା ଧନିକ
ଆମେ ଶିଖୁ ସଭିଙ୍କଠୁ ।
ଶିକ୍ଷା ଦୀକ୍ଷାର ଯେ ନ ଥାଏ ସମୟ
ଶିଖୁ ଯେ କ୍ଷୁଦ୍ର ଜୀବଠୁ ।।
ଦିନକର ଠାରୁ ଶିକ୍ଷାଲାଭ କରୁ
ଦୀପ୍ତିମନ୍ତ ହୋଇବାକୁ ।
ନିଜ ପ୍ରଭା ଦ୍ୱାରା ହଟାଇ ଅନ୍ଧାର
ଜ୍ଞାନାଲୋକ ବାଣ୍ଟିବାକୁ ।।
ପିମ୍ପୁଡ଼ି ଆମକୁ ଶିକ୍ଷା ଦେଇଥାଏ
ହେବାକୁ ଯେ ପରିଶ୍ରମୀ ।
ଝରଣା ବନ୍ଧୁର ପଥେ ବହିଯାଏ
କଣ୍ଟକିତ ମାର୍ଗ ଚୁମି ।।
ଶଇଳ ଶିଖାଏ ହେବାକୁ ଅଚଳ
ଦୁର୍ବିପାକ ଆସୁ ଯେବେ ।
ମହୁମାଛି କହେ କାଲି କାମ ଆଜି
ଆଜିକ କାର୍ଯ୍ୟକୁ ଏବେ ।।
ଛଞ୍ଚାଣ ଶିଖାଏ ହେବାକୁ ସ୍ୱାଧୀନ
ବାଛି ନିଜ ପାଇଁ ବାଟ ।
ହୀରକ ଦେଖାଏ ଚମକ ତାହାର
ପାଇଣ ଚାପ ଓ କଷ୍ଟ ।।
ପଙ୍କିଳ ସରସୀ ଜଳେ ଥାଇ ପଦ୍ମ
ସର୍ବେ ବିମୋହିତ କରେ ।
କ୍ଷୁଦ୍ର ପୁଷ୍ପ ହୋଇ ଶେଫାଳି ସୁବାଷେ
ଭଗ୍ନ ହୃଦେ ମଧୁ ଝରେ ।।
ଚନ୍ଦ୍ରମା ପରଷେ ସୁଶୀତଳ ଛାୟା
ଅଟଇ ସେ ଯେ ମହାନ ।
ଦିବ୍ୟଗୁଣ ସବୁ ଆହରଣ କରି
କର ଜୀବନକୁ ଧନ୍ୟ ।।
ଦେବବ୍ରତ ଜେନା
ସହକାରୀ ଶିକ୍ଷକ, ରଣସିଂହପୁର ଆଶ୍ରମ
ଭୋଗରାଇ, ଵାଲେଶ୍ୱର