ଆ ରେ ସିମ୍ପାଞ୍ଜି
ଆ ରେ ସିମ୍ପାଞ୍ଜି
ସୋନି ସୁନ୍ଦରୀଟା ସତ ସିଂପାଞ୍ଜି କି
ଆଖିରେ ପାଖରେ ଦେଖି
ହସ ପାଖୁଡାକୁ ଦେଇଛି ମେଲେଇ
ମନ ତା ଯାଇଛି ଲାଖି ।
ଇତିହାସ ବହି ପୃଷ୍ଠାରେ ସେ ଚିତ୍ର
ଆଜି ତା ଆଗରେ ଠିଆ
ସତେ କି ଭାଗ୍ୟ ମୋ ନୟନ ଦେଖିଲା
ଥରି ଉଠିଲା ତା ହିଆ ।
ତା ଶରୀର ସାଥେ ନିଜ ଶରୀରକୁ
ଦେଉଛି ଯେବେ ମିଳାଇ
ସମାନତା ଦେଖି ଆଶ୍ଚର୍ଯ୍ୟେ ବଖାଣେ
ସତେ ତୁ ମୋ ଜାତି ଭାଇ ।
କେବଳ ପାର୍ଥକ୍ୟ ତୁ ଅଟୁ ଆଦିମ
ରୂପ ରଙ୍ଗ କାନ୍ତି ଭିନ୍ନ
ବାଃ କି ସଭ୍ୟତା ବିଜ୍ଞାନ କରିଛୁ
ମୋତେ ଉନ୍ନତ ଅଭିନ୍ନ ।
ତୁ ଥିଲୁ ସ୍ୱାଧୀନ ବଣ ଥିଲା ମିତ
ଡାଳରୁ ଡାଳକୁ ଡେଇଁ
ସବୁଜ ସୁଷମା ମଧ୍ୟେ ଖେଳୁଥିଲୁ
ସୁଖ ସରଗକୁ ଛୁଇଁ ।
ମୁଁ ସିନା ଦିଶୁଛି ସୁନ୍ଦର ଉନ୍ନତ
ଘର ମୋର ଇଟା କାନ୍ଥ
କୃତ୍ରିମ ପବନେ ଅଣନିଃଶ୍ବାସୀ ମୁଁ
କେବେ ବା ସାଜୁଛି ସନ୍ଥ ।
ନ ଥିଲା ପୋଷାକ ତୋ ଦେହରେ କେବେ
ଜଙ୍ଗଲ ଥିଲା ପୋଷକ
ସହରେ ନଗରେ ଦୂଷିତ ଖାଦ୍ୟରେ
କିଣୁଛି ମୁଁ ରୋଗ ଶୋକ ।
ସରଳ ନିରୀହ ଥିଲୁ ତୁ ଅଜ୍ଞାନ
ମୁଁ କିନ୍ତୁ ଜ୍ଞାନୀ ପଣ୍ଡିତ
ସ୍ୱାର୍ଥପର ଅବିବେକୀ ମୋର ରକ୍ତ
ଶୁନ୍ୟ ମୋ ପ୍ରକୃତ ମିତ ।
କହିବି ମୋ କଥା ଶୁଣିବୁ ତୁ ସାଙ୍ଗ
ତୋ କଥା କାହା ବଖାଣି
ସବୁକୁ ମିଶାଇ ସଭିଙ୍କୁ ହସାଇ
ରଚିବା ପ୍ରେମ କାହାଣୀ ।
ଆ'ରେ ସିମ୍ପାଞ୍ଜି ଶିଖାଇବୁ ମୋତେ
ସେଦିନର ଭଲ କଥା
ମୁଁ ତୋତେ କହିବି ମୋ ଉପର ହସ
ଭିତରର ଦୁଃଖ କଥା ।