ବରଷା ଦିନ କନ୍ଦାଇ ଦେଲା
ବରଷା ଦିନ କନ୍ଦାଇ ଦେଲା
ଘଡଘଡି ହେଲା ବିଜୁଳି ମାରିଲା
ପବନ ବହି ବରଷା ହେଲା
ଦନେଇ ବୁଢ଼ାର ଦେହ ଥରିଲା
ଝାଟିମାଟି ଘର ଭିଜି ଗଲା
ଭଗବାନଙ୍କୁ ହୃଦେ ଡାକିଲା
କାଠ ଚାଉଳ ଓଦା ହୋଇଲା
ଚୁଲୀ ଖଣ୍ଡିକ ଭାଙ୍ଗିଗଲା
ବୁଢ଼ା ଦେହରେ ତାତି ଆସିଲା
ବୁଢ଼ୀ ଦୁଃଖରେ ଖାଲି କାନ୍ଦିଲା
କି ବୁଦ୍ଧି କରିବି ମନେ ଭାବିଲା
ଚୁଡାମୁଢ଼ି ଡବା ଖୋଜି ବସିଲା
ମୁଢ଼ି ନାହିଁ ଡବା ଖାଲି ଦେଖିଲା
ଚୁଡା ଡବାଟିକୁ ଅଣ୍ଡାଳି ଦେଲା
ଦ୍ଵିମୁଠା ଚୁଡା ଅଛି ଦେଖିଲା
ଅତି ଆନନ୍ଦରେ ଡବା ଧରିଲା
ବୁଢ଼ା ପାଖରେ ଧୀରେ ବସିଲା
ଟିକେଟିକେ କରି ପାଟିରେ ଦେଲା
ବୁଢ଼ା ହସିକରି ଧୀରେ ଚାହିଁଲା
ତୁ କଣ ଖାଇବୁ ବୋଲି କହିଲା
ବୁଢ଼ୀ ବୁଢ଼ାର ହାତ ଧରିଲା
ବୁଢ଼ା ମୁଠେ ବୁଢ଼ୀ ପାଟିରେ ଦେଲା
ତମେ ଆଗ ଖାଅ ବୋଲି କହିଲା
ବରଷାଟା ଆମ କାଳ ହୋଇଲା
ସୂରୁଜ ଦେବତା କିଆଁ ରାଗିଲା
ଦିଦିନ ହେଲାଣି ମେଘେ ଲୁଚିଲା
ଚୁଡାଭଜା ତକ ଆମ ସରିଲା
କାଲି କି ଖାଇବା ବୋଲି କହିଲା
ଇନ୍ଦ୍ରଙ୍କ କୋପ ଦାଉ ସାଧିଲା
ଗରୀବହିଁ ଏଠି କଷ୍ଟ ପାଇଲା
ଭାତ ବଦଳରେ ପାଣି ପିଇଲା
ଧନୀ କୋଠାଘରେ ସୁଖେ ରହିଲା
ମାଛମାଂସ କରି ପେଟେ ଖାଇଲା
ଝିଅ ଆମ ଜୋଇଁ ସାଥିରେ ଗଲା
ପୁଅ ବୋହୂ ସାଥେ ବିଦେଶ ଗଲା
ବାଟ ଚାହିଁଚାହିଁ ଲୁହ ଶୁଖିଲା
ବରଷା ଦିନଟି କନ୍ଦାଇ ଦେଲା ll