ବର୍ଷା 143
ବର୍ଷା 143
ବର୍ଷା ତୁମେ ଯେବେ ଆସ
ଭରିଯାଏ ଆନନ୍ଦ ସମସ୍ତଙ୍କ ମନେ ।
ଗ୍ରୀଷ୍ମର ନିର୍ଯାତନାକୁ
ଆଷାଢ଼ ଶ୍ରାବଣ ଦୂରେଇ ଦିଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
ଖୁସିରେ ଖୁସିରେ
କଳା ବଉଦ
ନୀଳ ଆକାଶକୁ ଘୋଡ଼ାଇ ଦିଏ ।
ଟିପି ଟିପି ବରଷା
ପରିବେଶରେ
ଧୂଳିର ବାସ୍ନା ଭରିଦିଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
ଗଗନ କାନ୍ଦେ
ଧରିତ୍ରୀ ମୁରୁକି ହସିଦିଏ ।
ସବୁଜ ବୃକ୍ଷ
ଖୁସିରେ ଝୁଲି ଝୁଲି ଦୋହଲୁଥାଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
ଅଙ୍କାବଙ୍କା ଜଳ ଧାରରେ
ଶିଶୁଟି କାଗଜ ଡଙ୍ଗା ଭସାଇ ଦିଏ ।
ଓଳି ତଳର ଜଳ ବିନ୍ଦୁ
ଝରିପଡ଼ି ଫୋଟକା ଖେଳ ଖେଳୁଥାଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
କଳା ମେଘକୁ ଦେଖି
ପକ୍ଷ ବିସ୍ତାରି ମୟୂର ନାଚିଯାଏ ।
ଦାନା ମୁଠାଏ ପାଇଁ
ଚଷାଭାଈ ହଳ ଲଙ୍ଗଳ ଯୋଚିଦିଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
ଅସରାଏ ବରଷାରେ
ବେଙ୍ଗ ବେଙ୍ଗୁଲି ବୁଦାମୂଳେ ରଡ଼ୁଥାଏ ।
ଲୁଚି ରହିଥିବା ସରୀସୃପ
ମନ ଖୋଲି ଟିକେ ବୁଲିଦିଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
ନିଦାଘ ଖରାରେ
ମୀନଙ୍କ ଭାଳେଣି ପଡ଼ିଯାଏ ।
ତୁମ ଆସିବା ବାଟକୁ ଚାହିଁ ରହିଥାଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
ନଦୀ ନାଳ
ଗରବେ ଟିକେ ଛାତି ଫୁଲାଇ ଦିଏ ।
ଏବେ ହୃଷ୍ଟପୁଷ୍ଟ ହେଇଗଲା ସିନା
ତୁମ ବିନା ସେ ଶୁଖିଯାଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...
ତୁମ ଆସିବାରେ
ଏ ଧରା ଭକ୍ତିମୟ ହୋଇଯାଏ ।
ଆଷାଢ଼େ ଜୟ ଜଗନ୍ନାଥ
ଶ୍ରାବଣେ ବୋଲ ବମ ଧ୍ଵନିରେ କମ୍ପୁଥାଏ ॥
ତେଣୁ ବର୍ଷା,
ମୁଁ ତୁମକୁ ଭଲପାଏ...