ଜଳାର୍ଣ୍ଣବ
ଜଳାର୍ଣ୍ଣବ
ଆରମ୍ଭ କରି ଶେଷ କରିବାର ବାଟ ନଥିଲା
କହିବାକୁ ଅକୁଳାଣ ହେଉଥିଲା ଭାବ
ନଈର ଫୁଲୁନଥିଲା ଶ୍ବାସ
କି ଭାଙ୍ଗି ନଥିଲା ପ୍ରାଗ୍ଐତିହାସିକ ବନ୍ଧ।
ତଥାପି ବି ଡାଲିଚଟୁକୁ ଆହୁଲା କରି
ପାରି ହେବାକୁ ପଡିଲା ଦରଜା।
କାହିଁକି କେଜାଣି ସହର ରାସ୍ତାରେ
ଉଠିଥିଲା ନହୁଲୀ ନଈର ଜୁଆର
ଆମ ଗଳିର ବାଙ୍କ ଦେଇ ଭାସୁଥିଲା
ନବବଧୂର ଅନ୍ତବସ୍ତ୍ର, ଅଜାଙ୍କ ଧୋତି
ଜେଜେମାର ପାନବଟୁଆ, ବାପାଙ୍କ ଛତା।
ଛାତିଏ ପାଣି ଭିତରେ
ଦପ୍ତର ଫାଇଲ୍ ଟାକୁ ଜାବୁଡି ଧରିଥିଲେ ବାପା।
ଦଧି ଭାଣ୍ଡ ପରି ଭାତ ହାଣ୍ଡି
ମୁଣ୍ଡେଇଥିଲା ବୋଉ।
ଡମଣାରୁ ଭାସିଆସୁ ଥିଲା ଶହସ୍ର ପେଡି,
ଅଶ୍ରାବ୍ୟ ଫୁତ୍କାରରେ କମ୍ପୁଥିଲା
ଆଚାର୍ଯ୍ୟ ବିହାର ଛକ।
ଏବେ ସହରର ଲୋକେ
ଖୋଜୁ ନଥିଲେ ଧନ ମାନ ଗୌରବର ଗୀତ,
ଦରବୁଡା ମଣିଷ ଲୋଡୁଥିଲା
ମୁକ୍ତିର ପଦ୍ମତୋଳା, ସୂଚାଗ୍ର ଶୁଖିଲା ମାଟି, ମୁଠାଏ ଭାତ।
ଆଉ ଶିମିଳିପାଳରୁ ଶୁଭୁ ନଥିଲା
ବାଘ ମାତିବାର କୋଳାହଳ
ଏବେ ଗାଁର ଚା ଖଟିର
ଓଦା ଖବରକଗଜ ଦରଖୋଲା
ପୃଷ୍ଠାରେ ଖବର ଆସିଲା
ଭୁବନେଶ୍ଵର ଏବେ ଜଳମଗ୍ନ।