Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Inspirational

2.8  

Prasanna Kumar Madala

Inspirational

ପରମ ସାକ୍ଷାତ

ପରମ ସାକ୍ଷାତ

1 min
20.2K


ଜାଣିଛ କି ପାଇଁ       ଜଳ ବହେ ଧାଇଁ

      ସଦା ନିମ୍ନଗାମୀ ହୋଇ 

ସାଗର ତା' ପାଇଁ       ରହିଛି ଅନାଇଁ

      ମୂହୁର୍ତ୍ତେ ନ ପାରେ ଶୋଇ ।

ମୂଳ ଉତ୍ସ ତାର      ଅଟେ ସେ ସାଗର

      କେତେ ସୂର୍ଯ୍ୟତାପ ସହି

ବାଷ୍ପ ରୂପେ ଚଢି      ବାୟୁ ସାଥେ ଉଡି

      ମେଘ ଦେହେ ଯାଏ ରହି ।

ଜଗତ କଲ୍ୟାଣେ      ଋତୁଚକ୍ର ଆଣେ

      ଗ୍ରୀଷ୍ମ ଅନ୍ତେ ବର୍ଷା ରୂପେ

ସିକ୍ତ ହୁଏ ଧରା      ସ୍ରୋତେ ବହି ପରା

       ଭରଇ ତଡାଗ କୂପେ ।

ସଂସାର ସେବାରେ   ନିଯୋଗ ହେବାରେ

       ନିଜେ ଧନ୍ୟ ମଣୁଥାଏ 

ଘାତ ପ୍ରତିଘାତ       ଡେଇଁ ସେ ନିରତ

      ନଦୀ ରୂପେ ବହି ଯାଏ ।

ଏହିଭଳି ନିଆଁ        ଊର୍ଦ୍ଧ୍ୱମୁଖେ କିଆଁ

       ଚାଳଇ ନିଜର ଶିଖା

ଜାଣିଲେ ରହସ୍ୟ       ବୁଝିବ ଅବଶ୍ୟ

      ଜୀବନର ମହା ଦୀକ୍ଷା ।

ଅଗ୍ନିର ଆଧାର       ନକ୍ଷତ୍ରରେ ସାର 

       ଅନ୍ତରୀକ୍ଷେ ଦିନମଣି

ଅନଳର ଶିଖା        ସଦା ଊର୍ଦ୍ଧ୍ୱମୁଖା

       ରହଇ ସ୍ୱଧର୍ମେ ଗଣି ।

ଜୀବର କାରଣ       ପ୍ରଭୁ ନାରାୟଣ

       କରନ୍ତି ପ୍ରାଣ ବିଧାନ

ଶକତି ସଞ୍ଚାରି        ଘଟରେ ବିଚରି

       ଥାଆନ୍ତି କୃପାନିଧାନ ।

ପରମ ଆନନ୍ଦ       ସ୍ୱରୂପେ ଗୋବିନ୍ଦ

      ଦେଇଛନ୍ତି ବୋଲି ପ୍ରାଣ

ଶାଶ୍ୱତ ଆନନ୍ଦ       ଲକ୍ଷ୍ୟେ ଅନୁବନ୍ଧ

       ଆମ ଏ ଜୀବନ ଜାଣ ।

ଧର୍ମେ ଅନୁରକ୍ତି       ଦୟା ଦାନ ଭକ୍ତି

       କର୍ତ୍ତବ୍ୟ ଆମ ପରମ

ପରମ ସାକ୍ଷାତ        ହୁଏ ତ ପ୍ରତୀତ

       ତୁଟିଲେ ଅହଂ ଭରମ ।

       ପ୍ରସନ୍ନ କୁମାର ମାଦଳା


Rate this content
Log in