ତପ୍ତପାଣି
ତପ୍ତପାଣି
ଏହି ତ ବଞ୍ଚି ଏବେ ବି ଅଛି
ଏହି ସେ ତପ୍ତପାଣି
ତାହାର ଧୃତି ପୁରୁଣା ସ୍ମୃତି
ରହିଛି ଗାର ଟାଣି ।
ତାତିଲା ଭାରି ଥିଲା ତା ବାରି
ଫୁଟନ୍ତେ ଅବିରତ
କମିଛି ତାପ ଭୂଇଁର ଚାପ
ଏକଥା ଏବେ ସତ ।
ଦିନେ ଏ ବେଳେ ବନ୍ଧୁଙ୍କ ମେଳେ
ଚଢାଣି ଚଢ଼ି ଚଢ଼ି
ଅଟକି ମୋଡେ ବିରାମ ଲୋଡେ
ରୋମାଞ୍ଚ ଯାଏ ବଢ଼ି ।
ଛୁଇଁ କି ଥାନ୍ତି ସେ ପାଣି ତାତି
ବହୁଥିଲା ବି ଖର
ପାଶକୁ ଯାଇ ବୁଡିବା ପାଇଁ
ମନରେ ଥିଲା ଡର ।
ପାହାଡ଼ ଚୂଳେ ଦିଶଇ ପୁଳେ
ରଙ୍ଗ ବେରଙ୍ଗ ପକ୍ଷୀ
ବସତି ପାରେ ଝରଣା ଧାରେ
ତୁମେ ବି ଥିଲ ସଖୀ ।
ନଥିଲା ଚିହ୍ନା ଠିକଣା ବିନା
ସାମାନ୍ୟ ପରିଚୟ
ମୁରୁକି ହସି ଗଲ ଯେ ଖସି
ଅଜଣା ଥିଲା ଭୟ ।
ଗଡାଣି ଶେଷେ ସୁନେଲି ଦେଶେ
ଥିଲା ସୋରିଷ କ୍ଷେତ
କୁରଙ୍ଗ ମେଳି ରମଣେ ଖେଳି
ବୁହାଉ ଥିଲେ ରେତ ।
ଥରିଲା ପାଦେ କି ପରମାଦେ
ଗୋପନ ପଲ୍ଲୀ ପୁରେ
ଫେରାଇ ଆଖି ମାଠିଆ ଜାକି
ପଳେଇ ଗଲ ଦୂରେ ।
ସେଦିନ ତାତି ଆଜି ଏ ଛାତି
ତଳେ ଗୋ ସିନା ନାହିଁ
ନିର୍ଝର ଘାଟେ ପୁରୁଣା ବାଟେ
ଏବେ ବି ଅଛି ଚାହିଁ ।
ତୁମରି ଠାରେ ପାଇ କି ପାରେ
ନିଜକୁ ଆଉ ଫେରି
ପାଇଲା ଚିଜେ ହରାଇ ନିଜେ
କରି ତ ଦେଲି ଡେରି ।
ଆଜି ସେଠାବେ ପହଞ୍ଚି ଭାବେ
ଝୁରଇ କେତେ ପୁଣି
ଏତେ ବି ବୁଲି ପାରୁନି ଭୁଲି
ହେଉଛି ଖାଲି ଗୁଣି ।
ପ୍ରସନ୍ନ କୁମାର ମାଦଳା