ଆମ ଗାଆଁର ପ୍ରଭାତ ବର୍ଣ୍ଣନା
ଆମ ଗାଆଁର ପ୍ରଭାତ ବର୍ଣ୍ଣନା
ପୂରୁବ ଦିଗରୁ ରକ୍ତିମ ଅରୁଣ
ସୁନେଲି ମୁରୁଜ ନେଇ
ପ୍ରକାଶେ ଧରାକୁ ନବ ବଧୁ ପରି
ସୁନ୍ଦରୀ ସଜାଇ ଦେଇ l
ଉଠି ବିହଙ୍ଗମେ ଖାଦ୍ୟ ଅନ୍ବେଷଣେ
କିଚିରି ମିଚିରି କରି
ଉଡିଲେ ଗଗନେ ଅତି ଆନନ୍ଦରେ
କେତେ ଆଶା ମନେ ଭରି l
ସରସେ ପ୍ରସ୍ଫୁଟି ପାଖୁଡା ବିସ୍ତାରି
କମଳିନୀ ହସି ଉଠେ
ସରାଗ ମନରେ ଚାଷୀ ଭାଇ ଆମ
କର୍ତ୍ତବ୍ୟରେ ତାର ଛୁଟେ l
ନିଦ୍ରା ତେଜି ସୁପ୍ତ ଜନଗଣ ଏବେ
କର୍ମରେ ତତ୍ପର ହେଲେ
ନୀଳ ଆକାଶରୁ ଶଶି ତାରା ଗଣ
କିରଣେ ବିଦାୟ ନେଲେ l
ବିଦ୍ୟାଳୟ ଅଭିମୁଖେ ବାହାରିଲେ
ପଢିବାକୁ ଛାତ୍ର ଛାତ୍ରୀ
ବିଷର୍ଣ୍ଣ ଭାବକୁ ତେଜି କର୍ମେ ଗଲେ
ପଥ ପରେ ପଥ ଯାତ୍ରୀ l
ସକାଳର ନଈ ଯାଉଥାଏ ବହି
କଳ କଳ ରାବ କରି
ସ୍ନାନ ସାରି ସଦ୍ୟ ସ୍ନାତା ଗ୍ରାମ ବଧୂ
କଳସୀକୁ ଫେରେ ଧରି l
ବିପ୍ର ମନ୍ତ୍ରେ ଉଲ୍ଲସିତ ଦେବାଳୟ
ସୁନ୍ଦର ପ୍ରଭାତ ଶୋଭା
ବନ୍ଦେ ନବ ବଧୂ ଚଉଁରା ମୂଳରେ
ସୌନ୍ଦର୍ଯ୍ୟ ଟି ମନ ଲୋଭା l
ଆସ ଆସ ମୋର ପ୍ରିୟ ପରିଜନ
ସାହସ ମନରେ ଭରି
ଆଗେଇବା କାମେ ହରସ ମନରେ
ସଦ୍-ଗୁରୁ ନାମ ଧରି I