ବତୀଖୁଣ୍ଟ ଆଲୁଅ
ବତୀଖୁଣ୍ଟ ଆଲୁଅ
ସୂରୁଯ ଆଲୋକ ବସୁଧା ଛୁଉଁଛି
ସମ୍ପୁର୍ଣ୍ଣ ନୁହେଁ ତା ଆଭା
ବତୀର ଆଲୁଅ ସ୍ବାଗତ କରୁଛି
ହୋଇଛି ବନ୍ଧୁ ହେ ଉଭା।
ତୁମେ ପ୍ରକୃତିର ମୁହିଁ କୃତ୍ରିମର
ବନ୍ଧୁ ବାନ୍ଧି ଦେବା ବନ୍ଧୁ
ତୁମର କିରଣ ପ୍ରଖର ହୋଇଲେ
ହଜିଯିବୁ ଭବସିନ୍ଧୁ।
ଅଳପ ସମୟ ସାକ୍ଷାତ ଆମର
ଗଳପ ସଳପ ହେବା
ଦୁଃଖ ସୁଖ ଟିକେ ବଣ୍ଟାବଣ୍ଟି ହେବା
ଖୁସିର ପରଶ ଅବା।
ତୁମେ ଚାଲିଗଲେ ଅସ୍ତାଚଳ ଶିଖେ
ମୁଁ ଆସଇ ଧରା ପରେ
ତୁମ କାର୍ଯ୍ୟ ମୁଁ ତ ଧିରେଧିରେ କରେ
ରାସ୍ତାର ପଥ ଧାରେ।
ତୁମର ବଇରି ସେ ଘନ ବାଦଲ
ଲୁଚାଇ ଦିଏ ତୁମକୁ
ମୋହର ବଇଲି ଯନ୍ତ୍ର ବିଭାଗଟି
ହଜାଇଦିଏ ମୋ ମୁକୁ।
ତୁମର ଆଲୋକ ଉଜ୍ବଳ ଆଲୋକ
ଯାଅ କୋଣ ଅନୁକୋଣେ
ମୁଁ ଛାର ବତୀଟେ ଖୁଣ୍ଟ ପରେ ଉଭା
ବିଞ୍ଚୁଥାଏ ଏଣେତେଣେ।
ହିନ ଭାବ ନାହିଁ ଦୀନ ଆଲୁଅଟେ
ଅସ୍ତିତ୍ଵ ମୋ ପରାଧିନ
ଆଜି ସକାଳରୁ ଭେଟ ହୋଇଗଲା
କାଲି ନ ଥିବ ଜୀବନ।
ସମୟଟି ପରା ବଳବାନ ସଖା
ସମୟର ମୂଲ୍ଯ ଦେବା
ହସିବା ଗପିବା କାମ କରୁ କରୁ
ଆଲୋକକୁ ଢାଳୁଥିବା।
ସମୟ ଇସାରା ଦେଲାଣି ସଖା ହେ
କାଲି ହେବ ପୁଣି ଦେଖା
ମୋ ଆଲୋକ ସାଥେ ଘଣ୍ଟର ଶବଦ
ଶୁଭିଲାଣି ପରା ସଖା।
ବେଳ ତ ହେଲାଣି ଦିଅ ହେ ମେଲାଣି
ଆଲିଙ୍ଗନ ମୁଦ୍ରେ ଥାଇ
ଆଖିରୁ ମୋହର ଲୋତକ ଝରୁଛି
ଯିବାକୁ ମୋ ମନ ନାହିଁ।
ବିଦାୟ ବିଦାୟ ଦିଶୁ ନାହଁ ଆଉ
ବାର ଘଣ୍ଟାର ଜ୍ଵଳନ
ଗୃହ କାର୍ଯ୍ୟେ ଦିନେ ବ୍ୟସ୍ତ ମୁଁ ରହିବି
ଆଭା ତ ହେବ ମଳିନ।
ବତୀର ଆଲୁଅ ଶୁଭ ସମାଚାର
ଦେଲା ନା ଜଗତ ବାସୀ
ସେଇ ଶିକ୍ଷା ବଳେ ଏ ମହୀମଣ୍ଡଳେ
ଚଳିବା ତ ମିଳିମିଶି।
ପଙ୍କଜିନୀ ଉପାଧ୍ୟାୟ ( ମିତା )