ଶଙ୍କିତ ସ୍ନେହ
ଶଙ୍କିତ ସ୍ନେହ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଚାରୁ-କେଶୀ ସେଇ ବାଳିକାର ପ୍ରେମ ପାଇଁ
ଏ ଜୀବନେ ମୋର ନ ଦେବାର କିଛି ନାହିଁ ।।
ମୋର ସୁଖ ଦେବି ତା'ର ସୁଖ ପାଇଁ ବଳି
ପଦଧୂଳି ତାର ଝାଡ଼ି ଦେବି କରେ ଧରି ।।
ସେ ଯଦି କହିବ ' ଯାଅ ତୁମେ ମୋର ପାଖୁ '
ଚାଲିଯିବି ଦୂରେ ତାକୁ ସୁଖୀ କରିବାକୁ ।।
ସେ ଯଦି କହିବ ' ଛାଡି ନାହିଁ ଯିବ ମତେ '
ଏ ଆଖି ରହିବ ଲାଖି ତା'ର ଭାଲପଟେ ।।
ସେ ଯଦି କହିବ ' ଏତେ ସେବା କାହିଁ ପାଇଁ '
ମୁଁ କହିବି ' ରାଣି,ଏଥୁ ବଳି ସୁଖ ନାହିଁ ' !
ଏ ନୟନ-ନୀରେ ଆର୍ଦ୍ର ପ୍ରଣୟ ମମ
ଢାଳି ଦେବି ପଦେ ପୂଜାର ପୁଷ୍ପ ସମ ।।
ମାନ ଗୌରବ ଯାହା କିଛି ଅଛି ମୋର,
ଢାଳି ଦେବି କହି ' ରାଣି ଗୋ ଏ ସବୁ ତୋର ' ।।
ସବୁ ଦେବି ତାରେ ।ଥରେ ଥରେ ଭାବେ ଖାଲି
ଏ ଜୀବନ ଯାର ଚରଣେ ମୁଁ ଦେବି ଢାଳି,
ସେ ଯଦି ଖାତିର କରେ ନା ଏ ମୋର ଦାନ,
କିପରି ସେଦିନ ଲୁଚାଇବି ଅପମାନ ?
ସମାପ୍ତ