ଭକ୍ତି ନିବେଦନ
ଭକ୍ତି ନିବେଦନ
ବିହରି ମୋର ଏହି ହୃଦ ମନ୍ଦିରେ
କଣେ ବି ହରି ଦୁଃଖ ଊଣା ହେଉ ଏଥର ,
ପାଞ୍ଚ ପାଞ୍ଚ ମୋ ତତ୍ତ୍ୱ ନ୍ୟାସି ଘଡି ସନ୍ଧିରେ
ପାଞ୍ଚ ପାଞ୍ଚ ମୋ ଶୁଦ୍ଧ ପ୍ରଭୁ କରିବ ମୋର ।
କୃପା ସରିତ ପାଇଁ ନାହିଁ କି ଏତେ ପୁଣ୍ୟ
କୃପା ସରି ତ କାହିଁ ହୋଇ ଯିବନି ଲେଶ ,
ଭାବ କେଜାଣି ତୁମ ଆଜ ହୋଇଛି ଶୂନ୍ୟ
ଭାବ କେ ଜାଣି କହେ ସବୁ ମାୟାବୀ ବେଶ ।
ତୋଳି ବାହାରେ ବୁଲି ଗୁନ୍ଥେ ଗଳାକୁ ହାର
ତୋଳି ବାହାରେ ଧନ୍ୟ କର ଦାସିଆ ତୁଲ ,
ସେପରି ହାର ଶୋଭା ତୁମ୍ଭ ଶ୍ରୀଅଙ୍ଗେ ସାର
ସେ ପରିହାର କରି କେତେ ଅନ୍ତରୁ ଭୁଲ ।
ଆଶା ବି ସାରିନାହିଁ ଦେବ ବୋଲି ଶରଣ
ଆଶା ବିସାରି ବାହୁ ଘେନି ରଖିବ କାଳେ ,
ବୋଲି ବିଲୋକେ ଛବି ମାଗେ ସୁଖ ମରଣ
ବୋଲି ବି ଲୋକେ ଯାହା କହନ୍ତୁ ଅନ୍ତରାଳେ ।
ରହି ବିଯୋଗୀ ଥାଇ ତୁମ୍ଭ ସାନ୍ନିଧ୍ୟ ବିନା
ରହିବି ଯୋଗୀ ହୋଇ ଧ୍ୟାୟି ଚରଣ ସିନା ।
ପ୍ରସନ୍ନ କୁମାର ମାଦଳା
( ଶବ୍ଦାର୍ଥ :- କଣେ - ସୂକ୍ଷ୍ମ ଭାବେ , କଣେ - ବିନ୍ଦୁଏ , ବିହରି - ବିହରଣ କରି , ହରି - ଫେଡି ,ପାଞ୍ଚ - ୫ , ପାଞ୍ଚ -ଭାବ , ପାଞ୍ଚ - ଚିନ୍ତନ ,ସରିତ - ନଦୀ ,ବାହାରେ - ପଦାରେ , ବାହାରେ- ବାହୁରେ , ପରିହାର - ଉପେକ୍ଷା , ବିସାରି - ବିସ୍ତାରି ,ବିଲୋକେ- ଦେଖେ , ବିଯୋଗୀ - ବିରହୀ )