ସୁନାବେଶ ଦେଖି
ସୁନାବେଶ ଦେଖି
ହରି ହରିବୋଲ ଉଚ୍ଚାରଣେ ଭୋଳ
ପାଇ ତୁମ୍ଭ ଦରଶନ
ସୁନାବେଶ ଦେଖି ଭଣୁଛି ମୁଁ ଲେଖି
ହେବ କି ହେ ପରସନ୍ନ ।
ଲୋକାଚାର କହି ଗ୍ରୀଷ୍ମ ତାପ ସହି
ଶୀତଜଳେ କରି ସ୍ନାନ
ପଡ଼ିଥିଲ ଜ୍ବରେ ଅଣସର ଘରେ
ଶ୍ରୀମୁଖ ବି ଥିଲା ମ୍ଳାନ ।
ମହୌଷଧି ଖାଇ ଉପଶମ ପାଇ
ହୋଇଥିଲ ଚିତାଲାଗି
ଦେଖିଲି ବି ରଥେ କିନ୍ତୁ ନିଜ ଅର୍ଥେ
କିଛି ନପାରିଲି ମାଗି ।
ଶ୍ରୀଚରଣେ ମାଥ ଥାଉ ଜଗନ୍ନାଥ
ଜୟ ଜୟ ଲକ୍ଷ୍ମୀପତି
ପତିତ ତାରଣେ ସୁଦୟା କାରଣେ
ତୁମ୍ଭେ ତ ବତ୍ସଳ ଅତି ।
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ସଦା
ଶ୍ରୀକରେ ତୁମ୍ଭର ସାଇଁ
ପାରୁନାହିଁ ଇଚ୍ଛି ତୁମ୍ଭ ଆଗେ କିଛି
ଗୁହାରି କରିବା ପାଇଁ ।
ବୁଝେ କିଏ ସ୍ଥୂଳେ ଲୋମଲୋମ ମୂଳେ
ବିରାଜେ ବ୍ରହ୍ମାଣ୍ଡ ସାରା
ସଂକଳ୍ପର ଫଳେ ଅନ୍ତରୀକ୍ଷେ ଚଳେ
କୋଟି ସୂର୍ଯ୍ୟଚନ୍ଦ୍ର ତାରା ।
ତବ ଆଜ୍ଞା ପାଇ ଧରାଧାମେ ଥାଇ
ପଞ୍ଚଭୂତ ଋତୁ ଆଦି
ଏକ ପରେ ଏକ ନିୟମିତ ଦେଖ
ଯାଉଛନ୍ତି କାର୍ଯ୍ୟ ସାଧି ।
ଯେ ତୁମ୍ଭ ଭଗତ ଆବୋରି ଜଗତ
ଭଜୁଥାଏ ନିରନ୍ତରେ
ହେ ଅନନ୍ତଶାୟୀ ପାଦପଦ୍ମେ ଧ୍ୟାୟି
ଘୋର ଶୋକତାପୁ ତରେ ।
ଅରକ୍ଷିତ ଜନ ପାଇଁ ନିବେଦନ
ମୁଖେ ନାହିଁ ପଛେ ଭାଷା
ଟେକି କର ବେନି ଆସିଅଛି ଘେନି
ଜଗତକଲ୍ୟାଣ ଆଶା ।
ନିରପେକ୍ଷ ଭାବେ କୃପାବାରି ଲାଭେ
ଚରାଚର ବିଶ୍ବ ଚଳେ
ବହି ଯୋଗକ୍ଷେମ ଦିଅ ଭକ୍ତି ପ୍ରେମ
ନତି କରେ ପାଦ ତଳେ ।