ହେ ମାନବ,ରୁକ୍ଷ ଅଶ୍ଵଥାମା
ହେ ମାନବ,ରୁକ୍ଷ ଅଶ୍ଵଥାମା
ରୁଧିର ମୋ' ବିକଳାଙ୍ଗ
ବିନ୍ଦୁ ବିନ୍ଦୁ ବଳାତ୍କାରୀ
ଘର୍ମ ର ଚିତ୍କାର ।
ହେ ଦାନବ,ଧରଣୀର
ବକ୍ଷ ବିଦ୍ଧ କରିବାରେ
ତୁମେ ଧୁରନ୍ଧର ।
ମାନବ କୁହ ନିଜକୁ
କାହିଁ ସେଇ ମାନବୀୟ
ସଂକ୍ଷିପ୍ତ ସୁଷମା !
ବର୍ବର,ଉର୍ବର ନୁହେଁ
ଚିନ୍ତା, ଚେତନା,ଚରିତ୍ର
ରୁକ୍ଷ ଅଶ୍ୱଥାମା ।
ମଣିଷ କୁହ ନିଜକୁ
କୁତ୍ସିତ,ଦୁର୍ବାର ତୁମ
ବିଭତ୍ସ ବାସନା ।
ଦାନବ ଦୁନ୍ଧୁଭି ବାଜେ
ଅଙ୍ଗେ ଅଙ୍ଗେ ଘୃଣ୍ୟ ରଙ୍ଗେ
କୁତ୍ସିତ କାମନା ।
ନୟନେ ନୟନେ ମଗ୍ନ
କଟାକ୍ଷ କାଳ ବୈଶାଖୀ
ଜଲ୍ହାଦ ଜଞ୍ଜିର ।
ଅନ୍ୟର ରକ୍ତ ଶୋଷଣ
ତିଳ ତିଳ ଅଗ୍ନିଦାହ
ଲକ୍ଷ୍ୟ ତୁମ କ୍ରୁର ।
ପଙ୍କିଳ ପ୍ରାଣ ପ୍ରାଙ୍ଗଣ
ଉତକ୍ଷିପ୍ତ ବିଷ ଉଦ୍ଗାରେ
ତୁହାଇ ତୁହାଇ ।
ସ୍ୱାର୍ଥ ସଂକୀର୍ଣ୍ଣତା ସାଥେ
ତୀକ୍ଷଣ ଆଘାତେ ସଂଘାତେ
ସପ୍ତଫେଣୀ ହୋଇ ।
ଲକ୍ଷ୍ୟ ନୁହେଁ ସ୍ରଷ୍ଟାଙ୍କର
ମଣିଷେ ସଜେଇବାକୁ
ଜଲ୍ହାଦ ଜର୍ଜର ।
ଅନୁପମ ରୂପ କାନ୍ତି
ସତ୍ୟ,ସ୍ନେହ,ପ୍ରୀତି,ଶାନ୍ତି
ସୁପ୍ରାପ୍ୟ ତୁମର ।
ହେ ବନ୍ଧୁ,ବରେଣ୍ୟ ତୁମେ
ଏଇ ସୃଷ୍ଟି,ମର୍ତ୍ତ୍ୟ ଧାମେ
ସୃଷ୍ଟିରେ ଶ୍ରେଷ୍ଠତ୍ୱ ।
ଭୁଲି ହିଂସା,ଅହଂଭାବ
ପ୍ରଲୋଭନ,ଛଳ,ଗର୍ବ
ସମ୍ପାଦ ମହତ୍ତ୍ୱ ।
ନାସ୍ତିତ୍ୱ, ନକାରାତ୍ମକ
ଭାବରେ ଅପରିପକ୍ୱ
ତେଜ ହିଂସ୍ର ପଣ ।
ସେଇ ହିଁ ପ୍ରଧାନ ଲକ୍ଷ୍ୟ
ମିଳିବ ଜୀବନେ ମୋକ୍ଷ
ପୁଣ୍ୟ ପରିତ୍ରାଣ ।