ପୁରୁଷୋତ୍ତମ ଦେବ (39)
ପୁରୁଷୋତ୍ତମ ଦେବ (39)
ପୁରୁଷୋତ୍ତମ ଦେବ ( 39)
ଐତିହାସିକ କାବ୍ୟାଂଶ
ମହାମନ୍ତ୍ରୀଙ୍କର ପାଇଣ ଆଦର
କାଞ୍ଚିଗଡ ରାଜସୁତା,
ଭୁଲିଗଲେ ନିଜ ଜନ୍ମଭୁମି, ନିଜ
ଆଦରର ପିତାମାତା।
ଭୁଲିଗଲେ ଯେତେ ଆସିଥିଲା ଝଡ
କାଞ୍ଚି ଅଭିଯାନ ପରେ,
ମନ୍ତ୍ରୀ ବିମ୍ବାଧର ସଙ୍ଗେ ଯାଇ ନିତି
ପୂଜୁଥିଲେ ଶ୍ରୀମନ୍ଦିରେ।
ଗମ୍ଭୀରା ଭିତରେ ସୁଲଳିତ ସ୍ୱରେ
ଗାଇ ପ୍ରଭୁଙ୍କ ଜଣାଣ,
ଶହେ ଆଠ ପଦ୍ମ ନିତି ଲାଗି କରି
ଫେରନ୍ତି ନିଜ ସଦନ।
ଭୁଲିଗଲେ ନିଜ ସତ୍ତା ରାଜଜେମା
ଜାଗତିକ ମାୟା ମୋହ,
ପ୍ରତି ମୁହୁର୍ତ୍ତରେ ଜଗନ୍ନାଥଠାରେ
ରହିଥିଲା ତାଙ୍କ ଲୟ।
ଗରୁଡ ପଛରେ ଭକ୍ତି ହୃଦୟରେ
ବିଲୋକି ଚକାନୟନ,
ଘୃତଦୀପ ଜାଳି ଭକ୍ତିଅର୍ଘ୍ଯ ଢାଳି
ଫେରୁଥିଲେ ପ୍ରତିଦିନ।
ପିତାମାତା ପୁଣି ଗଜପତି ସଙ୍ଗେ
ଉତ୍କଳ ରାଜ୍ୟ ମଙ୍ଗଳେ,
ଦୀପ, ପ୍ରତିଦିନ ଜାଳନ୍ତି ସୁନ୍ଦରୀ
ପାର୍ଶ୍ବ ଦେବାଦେବୀ ସ୍ଥଳେ।
ଏଣେ ଗୃହେ ବସି, ରାଜା ସୂର୍ଯ୍ୟବଂଶୀ
ଶ୍ରୀପୁରୁଷୋତ୍ତମ ଦେବ,
ଚିନ୍ତା କରୁଥିଲେ ,ଜେମାପାଇଁ କାହୁଁ
ଯୋଗ୍ୟ ଚଣ୍ଡାଳ ମିଳିବ।
ଜେମାଙ୍କୁ ଚଣ୍ଡାଳହାତେ ବିଭାଦେବେ
ସିନା ପ୍ରତିଜ୍ଞା ପୂରଣେ,
ଶେଳବିଦ୍ଧ ହୋଇ ରହିଥିଲା କିନ୍ତୁ
ଜେମାସ୍ମୃତି ହୃଦକୋଣେ।
ଏ ସମୟେ ଦୂତ ପହଞ୍ଚିଲା ନେଇ
ସୁସମ୍ବାଦ ଦକ୍ଷିଣରୁ,
ସନ୍ଧି କରିବାକୁ ଆସୁଛନ୍ତି ଭ୍ରାତା
ହମ୍ବିର କୋଣ୍ଡାବିଡରୁ।
ବାହାମନୀ ସୁଲତାନର କର୍ତ୍ତୃ୍ତ୍ୱ
କରିଦେଇଛନ୍ତି ଛିନ୍ନ,
ଗଜପତିଙ୍କର ଅଧୀନେ କରିବେ
ଦକ୍ଷିଣ ରାଜ୍ୟ ଶାସନ।
ଶୁଣି ଏ ସମ୍ବାଦ ଗଜପତି ହୃଦ
ଗଲା ଆନନ୍ଦରେ ଭରି,
ବାର୍ତ୍ତା ନୁହେଁ ଆହା ଅମୃତଧାରା କେ
ଢାଳିଲା କର୍ଣ୍ଣେ ତାଙ୍କରି।
ମହା ଉଲ୍ଲାସରେ ହମ୍ବିର ଛାମୁରେ
ପହଞ୍ଚି ପୁରୁଷୋତ୍ତମ,
ଆଲିଙ୍ଗନ କରି ବୋଇଲେ "ହେ ଭ୍ରାତ !
ଜୀବନ ମୋ ହେଲା ଧନ୍ୟ।
ଉତ୍କଳର ହୃତ ଗଉରବ ଆଜି
ଫେରି ଆସିଲା ହେ ଭ୍ରାତ,
ଏତେଦିନେ କପିଳେନ୍ଦ୍ର ଦେବଙ୍କର
ସ୍ୱପନ ହୋଇଲା ସାର୍ଥ।
କି ଆନନ୍ଦ ହେଉଥିବେ ! ସେପାରିରେ-
ରହି ପିତା ମହାରାଜ ,
ଦୁଇ ପ୍ରିୟପୁତ୍ର ମିଳନରେ ମନ
ପୂରିଉଠୁଥିବ ଆଜ।"
ମାତ୍ର,ମନ୍ତ୍ରୀ,ମିତ୍ର ସାମନ୍ତ ସମସ୍ତ
ମିଳି ହମ୍ବିର ଛାମୁରେ,
ସମ୍ବର୍ଦ୍ଧନାଦେଇ ସେ ମହାବଳୀଙ୍କୁ
ବସାଇଲେ ଦରବାରେ।
ହୋଇ ହୃଷ୍ଟମନ ଶ୍ରୀପୁରୁଷୋତ୍ତମ
ଚାହିଁଲେ ନୀଳାଚଳକୁ,
ବୋଇଲେ "ହେ ପ୍ରଭୁ ! ଏହିପରି କୃପା
କରୁଥାଅ ଏ ଦାସକୁ।
ଏହିପରି ଚୀରଦିନ ରହିଥାଉ
ଆମ୍ଭ ଭ୍ରାତୃତ୍ୱ ବନ୍ଧନ,
ଉତ୍କଳ ଗୌରବ ବୈଜୟନ୍ତି ଉଡୁ-
ଥାଉ ସଗର୍ବେ ଗଗନ।
ହୃତ ଗଉରବ ମୃତ ଗଉରବ
ଶ୍ରୁତ ଗଉରବ ରାଜି,
ଫେରିଆସୁ ଏହି ଉତ୍କଳମାଟିର
ଜଣାଉଛି ପ୍ରଭୁ ଆଜି।"
ମହା ଆଡମ୍ବରେ ହମ୍ବିର କୁମାରେ
ବିଦାଦେଇ ଗଜପତି,
ବୋଇଲେ "ହେ ଭ୍ରାତ ! ବାହୁବଳେ ଧ୍ୱସ୍ତ
କର ଦକ୍ଷିଣେ ଅରାତି।"