PAAGALA
PAAGALA
ପାଗଳ
ଏକା ଏକା ବାଟ ଚାଲୁଥିବା ମଣିଷଟିକୁ
ସହଜ ଆଖିରେ ଦେଖିହୁଏନି ବୋଲିତ
ପାଗଳର ସିଂହାସନଟି ମେଣ୍ଢେଇ
ଦିଆଯାଏ ତା’କୁ
ତା’ର ଅବଶିଷ୍ଟ ଆୟୁଷ ପାଇଁ
ପ୍ରବଳ କୋଳାହଳ ଭିତରେ
ଅନନ୍ୟ କିଛି ମୋହ ମାୟାକୁ ଆବୋରି ନେଇ
ନିଜକୁ ବିକ୍ରମାଦିତ୍ୟ ଭାବେ ଜାହିର୍ କରିବାକୁ ଯାଇ
ନିଜ ଆଣ୍ଠୁ ଗଣ୍ଠି ଛିଣ୍ଡାଇବା ଅପେକ୍ଷା
ଏକା ଏକା ଚାଲି ବରଂ
ସହଜ ପ୍ରାପ୍ତଏକ ପାଗଳର ସିଂହାସନଟି
ଅକ୍ତିଆର ବା’ କରିନେଲେ
କ୍ଷତି କ’ଣ ?
ଭିଜାମାଟିର ବାସ୍ନାରେ
ଗଢି ହୋଇଥିବା ଜୀବନଟି
ହଠାତ୍ ପାଇଗଲେ ହାତପାଆନ୍ତାରେ
ଅନୂଢା ଆସକ୍ତିର ଖିଅରୁ ସୋରାଏ
ଏକା ଏକା ଚାଲିବାକୁ ଲାଗେ
ପୋଷ ପୋଷ ତା’ ନିଜ ସ୍ବପ୍ନର
କବର ଉପରେ
ବେଖାତିର୍ କରି ନିଜ ଚଉହଦିକୁ
ଧୁମାଳ ଏକ
ମୃଗତୃଷ୍ଣାର ମୋହରେ
ଅନ୍ୟ ମନସ୍କ ଭାବେ
ସହଜରେ ଭୁଲିଯାଏ ନିଜକୁ
ମୃଗତୃଷ୍ଣାଟିକୁ ହାତେଇନେବାର
ଉଚ୍ଚାଙ୍ଗ ଲାଳସା ଭିତରେ
ଗୋଡତଳୁ ମାଟି ଧସିଯାଏ
ବୁଝିଗଲେ ନିତ୍ୟ ସୁନ୍ଦର ଚିରନ୍ତନ ସତ୍ୟକୁ
ସେ କେହି ବିକ୍ରମାଦିତ୍ୟ ନୁହେଁ
ବରଂ ସହରୀ ମଇଳା ଦାନୀରୁ ଆହାର ସାଉଁଟୁ ଥିବା ଜୀବନଟିଏ
ଯାହାକୁ ଦେଖିଲେ
ଟେକାଫିଙ୍ଗି ପିଲାଏ ମଜା ଉଠାନ୍ତି
ଆଉ ବୁଲାକୁକୁର ଦଳ ଭୁକି୍ଭୁକି ନୟାନ୍ତ କରନ୍ତି