ଗାଁ କନିଆଁ
ଗାଁ କନିଆଁ
ତୁ ତ ଚଞ୍ଚଳା ଏକ ବାଘ ମହୁମାଛି
ଯୁ ନାହିଁ କାହାରି ଛୁଇଁଯିବ ତୋ ଫେଣା
ଭଜା ହରଡ ପରି ତୋ କଠିନ ହୃଦୟ
କାହୁଁ ବା ବୁଝିବୁ ତୋ ଯଉବନ ରଙ୍ଗ
କିଆ ଫୁଲ ପରି ମହ ମହ ଟାଣ
କୁକୁଚି ଫୁଲ ନୁହଁ ଯେ ଝଡିଯିବୁ ସହଜରେ ।
ଅଣ୍ଟାରେ ପାଣିହାଣ୍ଡି ଧରି ଯେବେ
ଚାଲୁ ତୁ ଝୁମୁରୁ ଝୁମୁରୁ ଓଦା ସରସର
ଗତି ମୋର ବଢିଯାଏ ଚଞ୍ଚଳ ପାଣି ପରି
ଦେଖିବାକୁ ତୋତେ
ଧାରୁଆ ଛୁରୀ ପରି ଆଖି ଦିଓଟିରେ ।
ଝିଣ୍ଟିକା ଗାଏ ପ୍ରଣୟ ସଙ୍ଗୀତ ବେଳ ଉଣ୍ଡି
ଅମାନିଆ ମନ ମୋର ହଜି ହଜିଯାଏ
ସାରୁଗଛ ଝଙ୍କାଳିଆ ଛାଇ ତଳେ
ମାଟି ଭିତରର ଗୁମ୍ଫାଗୁମ୍ଫା ସାରୁ ପରି ।
ମାଟିଆ ମୋହରେ ଛାତି ଜଳେ
ଭୁରୁଭୁରୁ ବାସରେ ତୋ ପୁଙ୍ଗୁଳା ଦେହର
ହଳଦୀ ଚିକିଟା ମାଟିର ଅଥବା
ହରିଡ଼ା ଓ ଝଜାଂଗି ପତ୍ରର,
କୃଷ୍ଣପକ୍ଷର ଛାଇ ଅନ୍ଧାରରେ
ମନ କହେ ଲୁଚକାଳି ଖେଳ ଖେଳିବାକୁ
କଉଡି ଖେଳି ସାରିଲା ପରେ
କୁଆଁର ପୁନେଇଁ ଜହ୍ନିଓଷା ପରେ
ତୋ ତୁଲେ ତୋ ବୋଉକୁ କହି ।
ଆଜିଦିନେ ମହୁ ଆଉ ଭଲ ମିଳୁନାହିଁ
କଡା ବାଘମହୁ ଟିକେ ରଖିଥିବୁ ମୋପାଇଁ ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା