ଗୁଡ଼ି ଆଉ ମୁଁ
ଗୁଡ଼ି ଆଉ ମୁଁ
ତୁ ସାଧାରଣ କାଗଜ ଗୁଡ଼ିଟେ
ଆଉ ମୁଁ ବୁଦ୍ଧିମାନ ମଣିଷ
ହେଲେ ତୋ ମୋ ଭିତରେ
ଏତେ ସମାନତା !!!!
ତୁ ଧାଇଁଥାଉ ଛୁଇଁବାକୁ
ଆକାଶର ନୀଳିମା
ନ ମାନି ଦୂରତା
ମୁଁ ବି ଧାଉଁଥାଏ
ଛୁଇଁବାକୁ ସ୍ବପ୍ନ ଆଉ
ପ୍ରାଚୁର୍ଯ୍ଯର ସୀମା
ଭୁଲିଯାଇ ସବୁ ସୀମାରେଖା ||
ତୁ ସିନା ମିଛରେ
ମୋ ହାତର ବନ୍ଧନରେ ଥାଉ
ହେଲେ ଯେବେ ମୁକ୍ତ ହୋଇ
ଖୁବ୍ ଦୂରକୁ ଚାଲିଯାଉ
ମୋ ହାତେ ଥାଏ
ତୋତେ ବନ୍ଧନ କରିବାର
ଅବଶିଷ୍ଟ ସୂତା ଖିଏ
ମୁଁ ବି ଠିକ୍ ସେମିତି
କାଳର ସୂତାରେ ବନ୍ଧା ଜୀବନ ଧରି
ଖୁବ୍ ଅହଂକାରରେ ଧାଇଁଥାଏ
ଅହଂଭାବକୁ ଛାଡ଼ି କ୍ଷଣେ ବି
ମାଟିର ମଣିଷକୁ ଦେଖେନା
ଜାଣିଥିଲେ ବି
କେତେବେଳେ ଯେ ଛିଡ଼ିଯିବି
ଅବଶିଷ୍ଟ ଯାହା ରହିଯିବ
ଏଇ ପାର୍ଥିବ ଶରୀରଟିଏ ||