କାଳିଆକୁ ଚିଠିଟିଏ- ୩
କାଳିଆକୁ ଚିଠିଟିଏ- ୩
ଦୟଣା ତୁଳସୀ ତୋଳୁଛି ତୋ ପାଇଁ
ଗଳାରେ ଲମ୍ବାଇବାକୁ,
କେଡେ ସରଧାରେ ସ୍ନାହାନ କରି ମୁଁ
ବସେ ମାଳ ଗୁନ୍ଥିବାକୁ।
ତୁଳସୀ ପତ୍ରରେ ତୋ ଚକାନୟନ
ସୂତ୍ରରେ ବି ଦିଶୁ ତୁହି,
ଖିଲିଖିଲି ହସି ମନ ଭ୍ରମୁ ମୋର
ନ ଗୁନ୍ଥି ରହିଛି ଚାହିଁ।
ସହଜେ ବାର୍ଦ୍ଧକ୍ୟ ନିଃସହାୟ ପୁଣି
ଅଟେ ମୁହିଁ ଦୀନ ଜନ,
ତୋହରି ଆଶ୍ରାରେ ବଞ୍ଚିଛି ଆଜି ମୁଁ
ତୁ ପରା ମୋ ଦୁଃଖୀଧନ।
ଭାବନାରେ ଥିଲି...
ବଡ଼ପଣ୍ଡା ଡାକେ ହେଲି ସଚେତନ
ମାଳ ଦିଅ ଶୀଘ୍ର ଶୁଣି,
କିଛି କ୍ଷଣ ମଧ୍ୟେ ଦେବି ଗୁନ୍ଥି ହାର
ଦେଲି ତାଙ୍କୁ ମୋର ବାଣୀ।
ଚାଲିଗଲେ ପଣ୍ଡା ଗୁନ୍ଥିଲି ତ ପୁଣି
ଦୟଣା ତୁଳସୀ ହାର,
କାହୁଁ ଆସି ଏକ ଶିଶୁ ଉଭା ହୋଇ
ମାଗିଲା କିଛି ଆହାର।
ଏଣେ ମାଳ ପାଇଁ ଥାଏ ସିନା ବ୍ୟସ୍ତ
ତେଣେ, ମାତୃତ୍ଵ ମୋ ବିଳପିଲା,
ଧରି ହାତ ସେହି ଶିଶୁକୁ ନେଲି ମୁଁ
(ଖାଇ)ଆନନ୍ଦରେ ବାହୁଡିଲା।
ଚିଦାନନ୍ଦେ ଶିଶୁ ଚାଲିଗଲା ଆସି
ମାଳ ପାଖେ ହେଲି ହାଜର,
ଯାହାକୁ ମୁଁ ଦେଖିଲି ଅବାକ୍ ହୋଇଗଲି
ବର୍ଣ୍ଣିବାକୁ ଭାଷା ନାହିଁ ମୋର।
ସବୁ ଦୟଣାର ମାଳ ପିନ୍ଧି ଠିଆ
ମୋ କାହ୍ନା ବଇଁଶୀ ଧରି,
ମୁରୁକି ହସି ସେ ଚାହିଁଥାଏ ମୋତେ
(କହିଲି କାଳିଆ)
ମୁଁ ପରା ଦାସୀ ତୋହରି।
ସପନେ ଥିଲି କି ଜାଗ୍ରତରେ ଥିଲି
ତଥାପି ଦେଲି ଚିଟାଉ,
ମାଆ, ମାଟି, ମାତୃଭାଷା ର ସୁରକ୍ଷା
ଜୀବନର ବ୍ରତ ହେଉ।
ପ୍ରଣତି ମହାପାତ୍ର
ବାଲେଶ୍ୱର