ମମତାର ଉଷ୍ମତା
ମମତାର ଉଷ୍ମତା
ଦୁନିଆ ତ ମୁହଁ ମୋଡିନେଲା,
ରାତି ଅନ୍ଧାରରେ କେହି ଦେଖିଲାନି
ଦୂଧମୁହାଁ ଶିଶୁ
ମାଘମାସ ବାଘପରି ଶୀତରେ
ମାଆକୋଳେ ମୁହଁ ଗୁଜିଦେଲା ।
ଜହ୍ନ ବି ଲୁଚିଗଲା
ହାଡଭଙ୍ଗା ଶୀତ ରଜନୀରେ
ଆକାଶରେ ମିଞ୍ଜିମିଞ୍ଜି ତାରା
ଅସହାୟେ ଦେଖୁଥିଲେ,
ଦୋକାନ ବାରଣ୍ଡାରେ
ମାଆକୋଳେ ଦୁଇମାସ ଶିଶୁ
ନିରବରେ ଶିଶିରର ଲୁହ ଢାଳିଦେଲେ ।
ଡରନାହିଁ ଧନମଣି ମୋର,
ନଥିଲେ ନଥାଉ ପଛେ ଆମପାଖେ
ଛିଣ୍ଡା କନ୍ଥଡା ଅବା ଗରମ କମ୍ବଳ,
ମାଆପାଖେ ଦେହଢାଙ୍କିବାକୁ ଖାଲି
ସାତସିଆଁ ଲୁଗା,
ଦେହତ ଢାଙ୍କୁନି ସେଥିରେ
ସେଇ ଆମ ସର୍ବସ୍ୱ ସମ୍ବଳ ।
ହେଲେ ଡରନାହିଁ ଧନ,
ମାଆ ପାଖେ ଅଛି ତୋର
ମମତାର ଉଷୁମୁ ଚାଦର,
ମାଆକୋଳ ମୋ ବାହୁ ବନ୍ଧନ
ସକଳ ଉଷ୍ମତାର ଗନ୍ତାଘର
ଛିଣ୍ଡା ପଣତ ମାଆର ।
ମନେରଖ ଧନ, ସବୁ ରାତିର ଅନ୍ତେ
ଉଜ୍ୱଳ ସକାଳ ଆସେ,
ସୂର୍ଯ୍ୟ ଉଇଁବ ପୁଣି
ଭରିଦେବ ଉଷ୍ମତାରେ ତାର
ଦିବସର ଉଷୁମ ପ୍ରକାଶେ ।
***$***
ବିନୟ ମହାପାତ୍ର
ପଟିଆ, ଭୂବନେଶ୍ୱର