ବେଉଷଣ
ବେଉଷଣ
ପ୍ରମୋଦ ପ୍ରଧାନ
ଧରଣୀ ଛାତିରେ
ଦେଖ ଶ୍ରାବଣ ଭାସିଲା,
ଘନେଇ ଆସିଲା ଆକାଶ ଛାତିରେ
ଘଡ଼ଘଡ଼ି – ବିଜୁଳିର ତାନେ ତାନେ
ବତାସ –ମେଘ,
ଆଖି ପିଛୁଳାକେ
ସାଇଁ ସାଇଁ ବରଷି ଗଲା l
ସୁନାର ଫସଲ କାଦୁଆ ମାଟିରେ
ମାଗିଲା ବେଉଷଣ ....
କାଳିଆ-କାସରା ବଳଦ ଦୁହିଁଙ୍କୁ
ମଇ- ଲଙ୍ଗଳରେ ଯୋଚି
ଚଷାପୁଅ ହାତେ ଧରିଲା ପାଞ୍ଚଣ l
ବର୍ଷା –ବାଦଲ ଆକାକାର ହେଲେ
ଚାଷୀର ଓଠରେ ଫୁଟେ
ଅମୃତର ଫୁଲ .....ସାରା ଦୁନିଆର ଭୋକକୁ ମେଣ୍ଟେଇ
ମରେ ନିଜେ ସେ ଶୋଷରେ,
କିଏ ଦେବ କୁହ ତା’ର ତୃଷାର ମୂଲ୍ୟ ?
ବରଷା ଭୂଇଁରେ ବେଉଷଣ କାଳେ
ଚାଷୀର କେତେ ଯେ କଷଣ
ଜମା ନ କହିବା ଭଲ,
ମାଟିର ସନ୍ତାନ ସେଇ ତ ଏକା
ମାଟିରେ ଧାଉଁଛି, ମାଟିକୁ ଚାହୁଁଛି
ମାଟିରେ ନଇଁକି
ମାଟିକୁ କରୁଛି ଗେଲ l