ଦୁର୍ଗେ ଦୁର୍ଗତିନାଶିନୀ
ଦୁର୍ଗେ ଦୁର୍ଗତିନାଶିନୀ
ଅଶିଣର ଚନ୍ଦ୍ର ଢାଳଇ ଚନ୍ଦ୍ରିକା
ଆକାଶର ବୁକୁ ଚିରି
ପ୍ରିୟତମ ପ୍ରୀତି ଚନ୍ଦ୍ରିକା ପରଶେ
କଇଁ ହସେ କିରି କିରି॥୧॥
ଗଙ୍ଗଶିଉଳିର ଭୁରୁ ଭୁରୁ ବାସ୍ନା
ମହକାଏ ପରିବେଶ
ରୂପର ପସରା ମେଲି କାଶତଣ୍ଡୀ
ହୋଇଛି ଶୃଙ୍ଗାର ବେଶ॥୨॥
ନାନା ଜାତି ଫୁଲେ ସୁଷମା ମଣ୍ଡିତ
ଆଜି ଏ ପ୍ରକୃତି ରାଣୀ
ଗଭାରେ ଫୁଲର ଗଜରା କି ସତେ
ପିନ୍ଧିଛି ଯତନେ ଆଣି॥୩॥
ସବୁଜିମା ଭରା ପ୍ରକୃତିରାଣୀ କି
ପିନ୍ଧିଛି ସବୁଜ ଶାଢୀ
କେଦାରେ ଶସ୍ୟ ଲହରୀ ସତେକି
ଉଡୁଛି ପଣତ କାନି॥୪॥
ତବ ଆଗମନୀ ବାର୍ତ୍ତା ଆଗୋ ମାତେ
ଗୁଞ୍ଜରେ ପୁର ପଲ୍ଲୀରେ
ତବ ସ୍ୱାଗତିକା ଗାଆନ୍ତି ସରବେ
ଆଜି ପୁଲକିତ ସ୍ୱରେ॥୫॥
ତବ ପୂଜାପୀଠ ଆଲୋକିତ ଆଜି
ନାନା ରଙ୍ଗ ଆଲୋକରେ
ସୁରମ୍ୟ ତୋରଣ ସ୍ୱାଗତ କରଇ
ଆସ ମାତ ଧରାପରେ॥୬॥
ଆଦ୍ୟାଶକ୍ତି ମାଗୋ ଦୁର୍ଗତିନାଶିନୀ
ତବ ଆରାଧନା ପାଇଁ
ଉତ୍କଣ୍ଠିତ ଆଜି ଏ ଧରଣୀବାସୀ
ରହିଛନ୍ତି ପଥ ଚାହିଁ॥୭॥
ଅସଂଖ୍ୟ ମହିଷା ଶୁମ୍ଭ ନିଶୁମ୍ଭଙ୍କ
ଅତ୍ୟାଚାରେ ପ୍ରପୀଡିତ
ନିରୀହ ଜନତା ଭୋଗନ୍ତି କଷଣ
କର ବାରେ ତାଙ୍କୁ ମୁକ୍ତ॥୮॥
ଗୋଟିଏ ମହିଷା ଶୁମ୍ଭ ନିଶୁମ୍ଭଙ୍କୁ
ମାରିଥିଲ ମାତ କେବେ
ଅସଂଖ୍ୟ ମହିଷା ଶୁମ୍ଭ ଓ ନିଶୁମ୍ଭ
ଉତ୍ପାତ କରନ୍ତି ଏବେ॥୯॥
ଜୟ ମାତ ଦୁର୍ଗେ ଦୁର୍ଗତି ନାଶିନୀ
ଆଦ୍ୟାଶକ୍ତି କାତ୍ୟାୟନୀ
ନାଶ ଏ କଳ୍ମଷ ଦୂର ହେଉ ଦୁଃଖ
ଏତିକି ପଦେ ମାଗୁଣି॥୧୦॥
*******
ବାଉରିବନ୍ଧୁ ଲେଙ୍କା