~ ବରଷା ରାଣୀ ~
~ ବରଷା ରାଣୀ ~
ଅନେକ ଦିନର ନିରବତା ପରେ
ଶୁଷ୍କ ପୃୃଥିବୀକୁ ଫେରିଛି ବରଷା
ରିମ୍ ଝିମ୍ ତାନରେ ପ୍ରୀତିର ନଦୀରେ
ସଦ୍ୟ ସ୍ନାତା ବଧୂଟିଏ ପରି ।
ବରଷାର ଏଇ ଆତ୍ମୀୟ ଛୁଆଁରେ
ଶୁଷ୍କ ନଦୀ ହୁଏ ପୂର୍ଣ୍ଣ ଗର୍ଭା
ଧରଣୀରେ ଯାଏ ସବୁଜିମା ଭରି
ଆକାଶ ଓ ମାଟିର ଅପୂର୍ବ ମିଳନ
ଫଟା ମଟାଳ ବି ଯାଏ ବତୁରି ।
କେଦାରେ କେଦାରେ ଭରଇ ଜଳ
ଚାଷୀଭାଇ ମନ ହୁଏ ଉତ୍ଫୁଲ
କାଳିଆ କଷରା ସାଥିରେ ନେଇ
ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ
ଆନନ୍ଦେ ବିଲରେ ବୁଲାଏ ହଳ ।
ସାଧବ ବୋହୁଟି ଶାଗୁଆ ଘାସେ
ନାଲିପାଟ ପିନ୍ଧି ବୁଲେ ହରଷେ
ବେଙ୍ଗୁଲି ନାନୀର କେଁ କଟର
ସାରୁବୁଦା ମୂଳେ କରେ ସେ ଘର
କଳା ମେଘ ଦେଖି ମୟୂର ନାଚେ
ଆଖିକୁ ବହୁତ ସୁନ୍ଦର ଦିଶେ ।
ବରଷା ଆସିଲେ କଦମ୍ବ ଫୁଟେ
ନାନା ଜାତି ଫୁଲେ ବଗିଚା ହସେ
ଝଡି ବଢି ସହ ବନ୍ୟା ତାଣ୍ତବ
କେତେ ଯେ ନିରୀହ ଜୀବନ ନାଶେ ।
ଚାଷୀର ଘରଣୀ ପାଳେ ପରବ
ମନରେ ତାହାର ଆନନ୍ଦ ଭାବ
ଚିତୋଉ ସାଙ୍ଗକୁ ଗଇଁଠା ମୁଆଁ
ଖାଇକି ତା ପିଲା ମାରନ୍ତି ଡିଆଁ ।
ବରଷା ରାଣୀଟା ଭାରି ସୁନ୍ଦରି
ସବୁଜ ସୁନ୍ଦର ଧରଣୀକୁ କରେ
ସୁଖ ଦେଇଯାଏ ଚାଙ୍ଗୁଡା ଭରି
ସେଥିପାଇଁ ସିଏ ପ୍ରିୟ ସବୁରି ।