ଫଗୁଣ ଫେରିଗଲା
ଫଗୁଣ ଫେରିଗଲା
ଫଗୁଣ ଫେରିଗଲା
ତୁମେ ଆସିଲନି,
ଫଗୁଣ କେତେ ବା ଆଉ
ଅପେକ୍ଷା କରନ୍ତା?
ଚୈତ୍ର ଆସିଗଲା ଅଉ ଫଗୁଣ
ଚୁପ୍ ଚାପ୍ ଫେରିଗଲା ।
ଗଲାବେଳେ ଖାଲି ଟିକେ ହସିଦେଲା,
ଆରବର୍ଷ ପୁଣିଥରେ ଆସିବାକୁ
ପ୍ରତିଶ୍ରୁତି ଦେଇଗଲା ।
ଏଇ ସନ ଫଗୁଣରେ
ରଙ୍ଗସବୁ ଫିକା ଫିକା ଥିଲା,
କିଏ କେତେ ରଙ୍ଗରେ,
ରଙ୍ଗାଇ ଗଲେ ମୋ ଦେହକୁ,
ହେଲେ, ରଙ୍ଗସବୁ ଝଡିଗଲା ଉଡିଗଲା,
ଯେମିତି ଏ ମନ ଉପରେ,
ମହମର ବହଳ ପରତ ଲାଗିଛି,
ଟିକିଏ ବି ରଙ୍ଗ ଲାଗିଲାନି ମନେ
ହୃଦୟରେ ବିରହର ଦରଦ ଭରିଛି ।
ଫଗୁଣର ରଙ୍ଗ
କେମିତି ଲାଗନ୍ତା କୁହନି ?
ମୋ ମନ ଉପରେ ଯେ ଢାଙ୍କିଛି
ବିରହର ପାରଦର୍ଶୀ ବର୍ଷାତି ଗୋଟିଏ ।
କେମିତି କିଏବା ରଙ୍ଗେଇ ଥାଆନ୍ତା,
ଭିଜେଇ ଥାଆନ୍ତା
ଏଇ ଅଧାଜଳା ପ୍ରେମିକ ହୃଦୟରେ
ବୋଳିଥାଆନ୍ତା ରଙ୍ଗ କଣିଚାଏ ?
ବସନ୍ତ ଆସିଥିଲା,
ଏବେ ପୁଣି ଯିବାକୁ ବାହାରିଲାଣି ।
କତେ ଦିନ ଆଉ
ସେ ଅବା ଅପେକ୍ଷା କରିଥାନ୍ତା କୁହ,
ଏଇମିତି ଏକ ବେଦରଦୀ
ଅନିଶ୍ଚିତ ଆଗନ୍ତୁକ ପାଇଁ
ଫଗୁଣ ଗଲା, ବସନ୍ତ ବି ଫେରିଗଲା
କିଏ ଜାଣେ, ଆର ସନକୁ ଏ ହୃଦୟ
ଏଇମିତି ଥିବ ଅବା ନାଇଁ ?