ନିର୍ଯ୍ୟାତିତା ନିରୂପମା
ନିର୍ଯ୍ୟାତିତା ନିରୂପମା
ନିର୍ଯ୍ୟାତିତା ନିରୂପମା
କେଶବ କୃଷ୍ଣ କୃଷିଜୀବି ଏକ, ଅଖ୍ୟାତ ଗାଁ’ରେ ଘର
ନୁହେଁ ଥିଲାଘର, ତଥାପି ତାଙ୍କର, ଶାନ୍ତିର ସଂସାର ।
ଭଦ୍ରଲୋକଙ୍କ ପାଞ୍ଚଟି କନ୍ୟା, ଗୋଟିଏ ତିଳୋତ୍ତମା
ବାପା ବୋଉଙ୍କର ଅତି ଅଳିଅର ସୁନ୍ଦରୀ ନିରୁପମା ।
ଆଉ ଚାରିଝିଅ ମଧ୍ୟ ରୂପସୀ, କେହି କମ କେହି ବେଶୀ
ବାହା ସାହା ହୋଇ, ଘରକରଣାରେ, ସଭିଏଁ ରହନ୍ତି ଖୁସୀ ।
ନିରୂପମା ଯେ ତା’ ଢଳଢଳ ଆଖି, ମୋହନ ମୋହିନୀ ଢଙ୍ଗ
ମୂରଲୀ ସଦୃଶ ସୁଶ୍ରୀ ନାସିକା, ପଦ୍ମ ପାଖୁଡା ରଙ୍ଗ ।
ନୟନ ହରିଣୀ, ମାୟାବୀ ଚାହାଁଣୀ, ଅନୁରାଗେ ଭରା ସାଗର
ଶ୍ରୁତି ସୁମଧୁର କଣ୍ଠଟି ତାର, ସ୍ମିତ ମୁହଁଟିଏ ମନୋହର ।
ଉଦାସୀନ ମନେ, ବିରସ ବଦନେ, ନିଦାରୁଣ ଉତ୍ତମ
ଲାଗାଇ କୃଷ୍ଣ ବିରହେ କାତର, ଆତୁର ଶ୍ରୀରାଧା ସମ ।
ସଦା ସୁଶୋଭିତ, ସଦା ସୁରଭିତ, ସୁଲଳିତ ସୁକୁମାରୀ
କଜଳ ନୟନା, ସ୍ନିଗ୍ଧ ଝରଣା, ନିରୂପମା ସୁନ୍ଦରୀ ।
ଜୁଟିଲା ବରଟି ସ୍ଵଘୋଷିତ ଏକ ରାଜ~କର୍ମଚାରୀ
ପଦ୍ମଲୋଚନ ଚପରାଶି, କିନ୍ତୁ ଭଲ ଆମଦାନୀ ଉପୁରି ।
ଖର୍ବକାୟ, ଶ୍ୟାମଳ ବରଣ, ଟିକିଏ ଦୁର୍ବଳିଆ
ବାକ୍ୟ~ବାଗୀଶ,କର୍ମେ ଅଳସ, ସରକାରୀ ଚାକିରିଆ ।
ନବାଙ୍ଗୀଟିକୁ ଦେଖି ବିହ୍ଵଳ, ବିଗଳିତ ଅନ୍ତର
ଯୌତୁକ ବିନେ, ଚିର ବନ୍ଧନେ ବାନ୍ଧିବେ ସ୍ଵପନ ନୀଡ଼ ।
ଅସମ୍ମତିରେ ନିରୂପମା ରାଣୀ, ଦିଶିଲା ତା’ ମୁହଁ ଭାର
ମାତାପିତା ତାକୁ ଦେବାଳୟେ ନେଇ କରି ଦେଲେ ବିଭାଘର ।
ନୂତନ ବରଟି ଅସୀମାନନ୍ଦେ, ହେଲେଣି ଆତ୍ମହରା
ପ୍ରେମର ଜୁଆରେ ଭାସି ବୁଲନ୍ତି, ଦିବସ ରଜନୀ ସାରା ।
ନବ ବଧୂଟିକୁ ଅତି ଭଲପାଇ, ନ କରାଇ ଗୃହକର୍ମ
ସ୍ଵହସ୍ତେ ପ୍ରାୟ ସବୁ କିଛି କରି, ପାଳଇ ସଂସାର ଧର୍ମ ।
ବର୍ଷକ ପରେ ଆସିଲା ତାଙ୍କର ଝିଅଟି ପୁଷ୍ପ କଢି
ଦେଖିବାକୁ ଠିକ ଗୋଲାପୀ କଣ୍ଢେଇ, ଅବିକଳ କୁନି ପରୀ ।
ପ୍ରେମିକ ପ୍ରବର ମନରେ ଜମିଲା କିଞ୍ଚିତ୍ କଳା ମେଘ
ପ୍ରେମ ନଈଟିରେ ଆସିଲା ଭଟ୍ଟା, ବଦଳି ଗଲାଣି ପାଗ ।
ପୁଅଟି ନହୋଇ, ଝିଅ ଜନ୍ମିଲା ଦୋଷୀ ହେଲା ନିରୂପମା
ପଦ୍ମଲୋଚନ ଅନ୍ତରେ ତାକୁ, କରି ପରିଲେନି କ୍ଷମା ।
ପୁତ୍ର ଆଶାରେ ଗୋଟେ ପରେ ଗୋଟି, ରୂପସୀ କନ୍ୟା ଚାରି
ଧୀରେ ଧୀରେ ଶିରି ପଦ୍ମଲୋଚନ, ହେଲେଣି ଅତ୍ୟାଚାରୀ ।
କଥାରେ କଥାରେ କହେ ମାଗଣାରେ ଆଣିଥିଲି ତୋତେଘରେ
ଯଉତୁକ ବିନେ କରିଥିଲି ବାହା, କେବେ ଭାବିଛୁ ମନରେ ।
ଯା’ନା ଆଣିବୁ ବାପଘର ଠାରୁ, ଟଙ୍କା ଲକ୍ଷ ତିନି
ଆଣି ଦେଲୁ ସୁନା, କେଜିଏ ଖଣ୍ଡେ, ଆଉ କିଛି କହିବିନି ।
ଜନମ ଦେଲୁଣି ଗୋଟି ଗୋଟି କରି, ଚାରିଗୋଟି ଯାକ ଦୁହିତା
ଦେଇଥାନ୍ତୁ ଯଦି ପୁତ୍ର ଗୋଟିଏ, ତୋ ପ୍ରତି ଥାନ୍ତା ମମତା ।
ମୁଁ ଚାହିଁଥିଲି, ଭାର୍ଯ୍ୟା ସୁନ୍ଦରୀ, ରୂପସୀ ତନୟା ନୁହେଁ
ଦେଲୁ ମୋତେ ମାରି, ବରବାଦ୍ କରି, ଆଉ ତୋତେ ଭଲପାଏ ।
ଏମିତି ଭାବରେ ପତି ଦେବତାଟି କରନ୍ତି ଦଂଶନ
ଆଖି ଜଳେ ଭାସି ଧରମ ପତ୍ନୀ, ସହଇ ନିର୍ଯ୍ୟାତନ ।
ନରପୁଙ୍ଗବମାନଙ୍କ ହେଲା, ଏମିତି ହିଁ ହତାଦର
ନିରୁପମାମାନେ ନୀରବ ରହିକି, ପାଳନ୍ତି ପରିବାର ।