ସ୍ମୃତିର ବାଣୀବିହାର
ସ୍ମୃତିର ବାଣୀବିହାର
ଅନେକ ଆଶାର ମହଲତଳେ
କେଉଁଠି କେଜାଣି ହାଇମାରେ ବାଣୀବିହାର
ଡିପାର୍ଟମେଣ୍ଟ, ହଷ୍ଟେଲ ଜୀବନ ଆଉ
ଅଳକା ମାର୍କେଟ୍ ର ଚା' ଦୋକାନ।
ସକାଳର ସୁନାନାକି ଖରାଟା
ବୀଣା ଛୁଇଁବା ପରେ ଏକଦମ୍
ଗୋଟେ ରାଗରେ ବୋହେ ଏଠି ପବନ ।
ଫ୍ରଣ୍ଟଗେଟ୍ ରୁ ଚାଲେ ସୁଅ
ଦକ୍ଷିଣା ମୁହାଁ ତାଳପଦେଶ୍ୱରୀ ମନ୍ଦିର ଯାଏଁ ।
ଏକଦମ୍ ଜୀବନ ଗଢିବାର ପ୍ରୟାସରେ
ବୋହିଯାଏ ନିରନ୍ତର ନିଶ୍ବାସ,ଦୀର୍ଘଶ୍ବାସ ଯେତେ ।
ଖାଲି ନିଦାଳୁ ସ୍ୱପ୍ନଟିରେ ଡେଣା ଲାଗିବା ଆଗରୁ
ବୁଜିଦିଏ ଆଖି କ୍ୟାମ୍ପସ୍ ର ସନ୍ଧ୍ଯା ଯେତେ।
ରାତିସାରା କୋରିଡୋରର ଖାଁ ଖାଁ
ଜୀବନ ତଳେ କୁହୁଳେ ଏତେ ଟିକେ ପ୍ରେମ
ଧସ୍ତାଧସ୍ତି ବହିଭିତରୁ ଶୁଭେ ଜୀବନ ଜୀବିକାର
ଶିଥୀଳ ଧମନୀରେ କେବେ ଅଣଚାସ ପ୍ରବାହ
କେବେ ଶୁଷ୍କ ନିଦାଘର ତତଲା ନିଶ୍ବାସ ।
ପ୍ରେମର ଫଗୁଣଟାଏ ଆଡମାରି
କେତେଟା ଶ୍ରାବଣକୁ ଝରାଏ
ତାର ହିସାବ ରଖେନି କୃଷ୍ଣଚୂଡ଼ାର ଛାଇ ଯେତେ
ସ୍ମୃତିକୁ ଖାଲି ଆବୋରି ହସୁଥାଏ
ତା ଛାତିରେ ପାଦଚିହ୍ନ ସତେ
ଅନେକ ଖିଆଲୀ ମନ ଉଜୁଡେ
ଡେଣା ଲାଗେ କେବେ ଧସକି ଯାଉଥିବା
ଆଶା ଟିକକରେ ।
ସେତେବେଳେ କାହିଁକି କେଜାଣି
ଫୁଟି ଫୁଟି ଧୂଆଁ ଛାଡେ
ଦାମ ଦୋକାନର ଗରମ୍ ଚା' ଯେତେ ।