ଜହ୍ନ
ଜହ୍ନ
1 min
6.7K
ଜହ୍ନ ତୁମର ପୁରୁଣା ଚାଲିଟା
ଲାଗୁନି ଭଲ
ଜ୍ଯୋତ୍ସ୍ନାର ସରୁ ପଞ୍ଜାବୀ ଟିକେ
ଆଡେଇ ଚାଲ
ଦେଖୁନ କି ତୁମ ଧଳା ଚାଦରର
କାନି ଛୁଇଁଲାଣି ନିଆଁର ଝୁଲ !
ବିପ୍ଳବ ଏଠି ଟେକିଛି ହାତ
ଜଠରାଗ୍ନିକୁ ନମିଳେ ଭାତ
ଜୀବନ ଯେଉଁଠି ପାଉନି କୂଳ
ଅଥଳ ଥଳ
ଜହ୍ନ ! ସେଇଠି ତୁମେ ଖୋଜୁଅଛ
କିଶୋରୀ ଛାତି ଓ କଅଁଳ ଗାଲ
କଷି ମାଂସର କଷୁଛ ମୂଲ !
ରୀତିଯୁଗୀୟ ସେ ରତି‐ଲଳନାର
ବକ୍ଷତଳେ
କେତେ କାଳ ଆଉ ଆଶ୍ରୟ ନେବ
ସ୍ବପ୍ନ‐ବିଳାସୀ ତନ୍ଦ୍ରାଭରେ ?
କାମନା ନିଆଁରେ ଜଳାଅନି ଆଉ
ଜଳନି ନିଜେ
ମଣିଷ ତୁମଠୁ ଜୀବନର ନୂଆ
ସଂଜ୍ଞା ଖୋଜେ
ଫେରାଅ ମୁହଁ
ପାରୁଛ ଯଦି ବା ବୃତ୍ତରୁ ବାହାରି
ବକ୍ର ହୁଅ !