ମୋ ଗାଁ କୁ ସଂଜ ଆସେ ନଇଁ ନଇଁ
ମୋ ଗାଁ କୁ ସଂଜ ଆସେ ନଇଁ ନଇଁ
ସୁନେଲି କିରଣେ ମୋ ଗାଆଁ ହସଇ
ଗଡି ଗଡି ଯାଏ ବେଳ
ଅସ୍ତାଚଳେ ରବି ମୁରୁକି ହସନ୍ତି
ଆକାଶରେ ମେଘ ମାଳ ।।
ପୁନେଇଁ ର ଜହ୍ନ ଲୁଚକାଳି ଖେଳେ
ଭସା ବାଦଲର କୋଳେ
ତାରାଫୁଲ ମେଳେ ଖିଲି ଖିଲି ହସେ
ରଜତ ଢୋଛନା ଢାଳେ ।।
ଥିରି ଥିରି ଝରେ ମଳୟୁ ଚନ୍ଦନ
ଝିପି ଝିପି ବର୍ଷା ତାଳେ
ଦୂର ଶାଳବଣୁ ବିହଙ୍ଗ କାକଳି
ମନର ମୂର୍ଚ୍ଛନା ତୋଳେ ।।
ନଈ ତୁଠ ଧାରେ କଳସୀ କାଖେଇ
ଫେରନ୍ତି ଗ୍ରାମ ଲଳନା
ମଧୁ ବସନ୍ତ ର ମଧୁର ପବନେ
ମନ ହୁଏ ଆନମନା ।।
ନାଉରିଆ ଭାଇ ଆହୁଲା ମାରଇ
ଦେବୀ ସୂମରଣା କରି
ଫେରିବା ବାଟକୁ ଚାହଁ ବସିଥାନ୍ତି
ଘରେ ତାର ପିଲା ସ୍ତିରୀ ।।
ମନ୍ଦିର ବେଢାରେ ବାଜିଲାଣି ଶଙ୍ଖ
ସଂଧ୍ୟା ର ଶୁଭ ଆଳତି
ତୁଳସୀ ମୂଳରେ ଜଳିଲାଣି ଦୀପ
ମୋ ଗାଁଆ ବାଢେ ପ୍ରଣତୀ ।।
ଖଂଜିଣି ଶୁଭଇ ଅନତି ଦୂରରୁ
ମନ୍ତ୍ର ପାଠେ ନାଚେ ଭୂଇଁ
ନାମ ସଂକୀର୍ତ୍ତନେ ଖୋଳ କରତାଳେ
ସଂଜ ଆସେ ନଇଁ ନଇଁ ।।
ନିଦ ପାଲିଙ୍କି ରେ ସପନ ଆସଇ
ରାତି ବଢେ ଧୀରେ ଧୀରେ
ମୋ' ଗାଆଁ ତୁଠ ଆମ୍ବବଣ ପାଟ
ଶାନ୍ତି ରେ ନିଶ୍ବାସ ମାରେ ।।
---'----------------------
ଶରତ କୁମାର ଦାସ
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ବଡବିଲ ମହାବିଦ୍ୟାଳୟ,ବଡବିଲ,କେନ୍ଦୁଝର।
09.06 .2018