ସୋହାଗ
ସୋହାଗ
ରୋମାଣ୍ଟିକ କବି ମାୟାଧର ମାନସିଂହ
ମୋ ପ୍ରିୟ ଉତ୍କଳ ଭାଷା ତୁମ୍ଭ ମୁଖେ ସଖି
ପ୍ରିୟତର ଲାଗେ କର୍ଣ୍ଣେ ।ତୁମ୍ଭ କୋଳେ ରଖି
ଏ ମସ୍ତକ, ଚାହେଁ ଯେବେ କନକ-କପୋଳେ
ବାସନାର ଅଗ୍ନି-ଶିଖା ଯହିଁ ନିତ୍ୟ ଜ୍ଵଳେ,
ତୁମ୍ଭେ ଦୃଷ୍ଟି ନତ କରି ମୋ ନେତ୍ରେ ମିଳାଅ,
ଦୀର୍ଘ ଶ୍ବାସେ ବକ୍ଷ-ହାର ମଞ୍ଜୁଳେ ଦୋଳାଅ,
ନାସାର ପ୍ରଶ୍ଵାସ-ଧାରେ ଉଷ୍ଣ କର ଭାଳ
ସ୍ନେହେ ମୋର କେଶେ,ଧୀରେ ଅଙ୍ଗୁଳି ସଂଚାଳ
ଶେଷେ ଯେବେ ମୁଖ ମୋର ଉର୍ଦ୍ଧ୍ୱେ ନେଇ ତୋଳି
ଦିଅ ଓଷ୍ଠେ ଚିରି-ପ୍ରିୟ ସେ ଚୁମ୍ବନ ବୋଳି,
ସହସା ଭୁଲଇ ମୁହିଁ କଠିନ ସଂସାର,
ଲଂଛନା ଓ ଦୁର୍ଭାଗ୍ୟର ନିଷ୍ଠୁର ପ୍ରହାର,
ଦେବତାର ମହାପ୍ରାଣ ପଶେ ଏ ଶରୀରେ
ଚେତନା ମୋ ଅତିନ୍ଦ୍ରିୟ ହୁଏ ଧୀରେ ଧୀରେ ।
ସମାପ୍ତ