ପ୍ରେମ ଯାଗ
ପ୍ରେମ ଯାଗ
ଭରି ପେଟେ ରୋଷ ଦେଖି କେଉଁ ଦୋଷ
ଘାରି ତୁ ହେଉଛୁ ଫୁଲେଇ
ମରି ପଛେ ଯିବି ମନେ ରଖିଥିବି
ପାରି ହେବନାହିଁ ଭୁଲେଇ ।
ପାହାନା ଲୋ ଆଜି ଚନ୍ଦ୍ରପ୍ରଭା ସାଜି
ରତି ରତରତା ରଜନୀ
ବାହାନା ଯେ ଥାଉ ଦୂରେ କେତେ ଆଉ
ମତି ମାରୁଥିବ ସଜନୀ ।
ରହି ଦୁଇ ଘଡି ଯାଅ ଟିକେ ବଢି
ନେବୁ ପଛେ ଆଜି ବିରତି
ସହି ହୁଏ ନାହିଁ ନ ଯାଅ ବି ପାହି
ହେବୁ ସାକ୍ଷୀ ହେଲେ ପୀରତି ।
ତାଙ୍କ ଗାଆଁ ଦାଣ୍ଡେ ଚାନ୍ଦ ଉଇଁ କାଣ୍ଡେ
ଜୋଛନା ପେଶଇ ହରଷେ
ବାଙ୍କ ହୋଇ ଆମ ଅଗଣାରେ କାମ
ଶୋଚନା ବଢାଏ ପରଶେ ।
କାମିନୀ ବଗୁଲୀ ତାଙ୍କ ଗାଆଁ ବୁଲି
ନଦୀ ହିଡେ ଡେଣା ଝାଡଇ
ଭାମିନୀ ଆଗରେ ବଗ କି ରାଗରେ
ଲଦି ହୋଇ ଚଞ୍ଚୁ ବାଢଇ ।
ସେହି ଗାଆଁ ଗାଈ ବାର ମାସ ଧାଇଁ
ଘାସ ଚରେ ଆମ ଗାଆଁରେ
କେହିଜଣେ ଗୋରୀ କରେ ଚିତ୍ତ ଚୋରି
ଝାସ ଦେଇ ପ୍ରୀତି ନାଆଁରେ ।
ଘାଟେ ଥୋଇ ଘଟ କରିଥିଲା ମଠ
ଖର ହୋଇ ସଞ୍ଜ ବୁଡିଲା
ବାଟେ ଚାଲୁଚାଲୁ ଆନମନେ ଭାଳୁ
ଘର ବାଟ କିବା ହୁଡିଲା ।
ରାଜି ହେଲେ ତୁହି ଯିବି ପଛେ ମୁହିଁ
ରାସ ରଚି ପ୍ରେମ ଯାଗରେ
ଭାଜି ଯିବ ହିୟା ନ ମିଳନ୍ତେ ପ୍ରିୟା
ନାଶ ଯିବି ଶୋକ ସାଗରେ ।
ପ୍ରସନ୍ନ କୁମାର ମାଦଳା