ଖୋକା ଭାଇ
ଖୋକା ଭାଇ
*ଖୋକା ଭାଇ ତୁମେ ଧୋକା ଦେଲ*
ଚଉତିରିଶର ବାର ଅକ୍ଟୋବର୍ କଟକେ ଛଟକ ଦେଖାଇଲ
ଅଳ୍ପ ଦିନର ଗଳ୍ପ କଥାରେ ସଂଗୀତ ଧାରାରେ ଭିଜାଇଲ ।
ସପନର ପଥେ ପଥେ ତୁମେ ପରା ସାଂଧ୍ୟ ଭ୍ରମଣେ ଯାଉଥିଲ
'ଯାଯାବର' ଝିଅ ମନକୁ ସାଁଉଟି କେଉଁ ଛନ୍ଦରେ ନେଉଥିଲ ।
ପଇସାରେ ପାନ କେତେ ଖଣ୍ଡ ବୋଲି ହୁଣ୍ଡି ଝିଅକୁ ପଚାରିଲ
ନଉକାରେ ଭାସି ମହାନଦୀ ତଟେ ଅଭିଆଡି ଝିଅ ମନ ନେଲ ।
ପ୍ରଥମ ପ୍ରେମର ଚଇତିକୁ ନେଇ ଅଭୁଲା ସଂଗୀତ ରଚିଗଲ
'ସପନ ବଣିକ' ସପନରେ 'ଫୁଲ ଚନ୍ଦନ' ବରଷା କରୁଥିଲ ।
"ହାରି ଯାଇଥିବା ଲୋକର କି ଅଛି" ସତେ ଅବା ଆଗୁ ଜାଣି ଗଲ
ସବୁ ସପନକୁ ଅଧା ରଖି ତୁମେ କେଉଁ ଅଭିମାନେ ଚାଲିଗଲ ।
ସତର ନଭେମ୍ଭର୍ ଶହସ୍ରାବ୍ଦ ଦୁଇ ଚିର ନିଦ୍ରାରେ କି ଶୋଇଗଲ ?
ଖୋକା ଭାଇ ତୁମ ସଂଗୀତ ପ୍ରେମୀଙ୍କୁ ଧୋକା ଦେଇ କାହିଁ ଖସିଗଲ ।
ଓଡିଆ ସିନେ ସଂଗୀତ ଝୁରେ ମଧୁବୋଳା ତୁମ ଗୀତି ଧାରା
ଦଶହରା ଆସେ ଗୁଣ ମୁଗ୍ଧ ଖୋଜେ ଖୋକା ଭାଇ ଦିଅ ନାହିଁ ଧରା ।
ପ୍ରେମିକା ବାଡିର ବିଛୁଆତି ଆଉ ବାଇଡଙ୍କ ନିଏ ନାହିଁ ଟାଣି
"ବିଚିତ୍ର ବର୍ଣା" ଚାହିଁ ବସିଅଛି ଆର୍ଯ୍ୟଦାସର ଲେଉଟାଣି ।
ଫେରି ଆସି ଦେଖ ପୂର୍ଣ୍ଣ ହେଉନି ତୁମେ ଛାଡିଥିବା ଶୂନ୍ୟ ସ୍ଥାନ
ଖୋକା ଭାଇ ତୁମେ ସବୁଜ ସୁନ୍ଦର ଓଡିଆ ପ୍ରାଣର ସଂଜୀବନ ।
ଓଡିଶାର ତୁମେ କିଶୋର କୁମାର ପଂଚମ୍ ଦା ତୁମେ ମାନ୍ନା ଦେ
ଅକ୍ଷୟ ହୁଅ ଚିର ଅକ୍ଷୟ ଦୁର୍ଗା ମା ଏ ଆଶିଷ ଦେ ।
ବିଶ୍ୱେଶ୍ୱର ମାଝୀ