ଭୁଲିଗଲା ପୁଅ
ଭୁଲିଗଲା ପୁଅ
ବ୍ରତ ଓଷା କରି ମା'ଟି ପାଇଲା
ଆଦରର ଗେହ୍ଲା ପୁଅ,
ସପନ ଦେଖିଲା ମଣିଷ କରିବ
ଅନ୍ତରୁ ଝରାଇ ଲୁହ।
ପାଦ ଲାଗିଲା ନି ତଳେ ତା ବାପାର
ରଖି ଅସୁମାରୀ ଆଶା
ଧରଣୀ ବକ୍ଷରେ ଗଢ଼ିବ ପୁଅକୁ
କେତେ ବିଶ୍ୱାସ ଭରସା !
ଜ୍ଞାନ,ବୁଦ୍ଧି,ଆଉ ଶିକ୍ଷା ପାଇଗଲେ
ପୁଅ ତା ହେବ ମହାନ
ଶୃଙ୍ଖଳା, ସଂସ୍କାର,ଆଦର୍ଶ ପାଇଁକି
ସ୍କୁଲକୁ କଲା ଚୟନ।
ଛଅ ବରଷରେ ବହି ଖାତା ଧରି
ନେଲା ସ୍କୁଲକୁ ବୁଝାଇ
ମଣିଷ ତିଆରି କାରଖାନା (ଏ) ବାବୁ
କହେ କେତେ ଯେ ତୁହାଇ।
ପାଠ ପଢିଲେ ତୁ ହେବୁରେ ମଣିଷ
ରଖିବୁ ଦେଶର ଯଶ
ଘର,ଗାଁ,ରାଜ୍ୟ,ଦେଶକୁ ଗଢିବୁ
ହୃଦୟେ ରଖ ବିଶ୍ୱାସ।
ପଢ଼ିଲା ସେ ପାଠ ଚାଲିଲା ବିଦେଶ
ପାଇଲା ଝିଅକୁ ଭଲ
ବାପା,ମା କେହି ଜାଣିଲେନି କିଛି
ବିବାହେ ହେଲା ମାତାଲ ।
ଭୁଲିଗଲା ମା' ମାଟିର ମମତା
ସାଜିଲା ସେ ସ୍ବାର୍ଥପର
ବିଚରା ବିଚାରୀ ବାପା ମାଆଙ୍କର
ଚକ୍ଷୁ ବହିଲା ରୁଧିର।
ହା ପୁତ୍ର କହି ମା' ଚାଲିଗଲା
କେବେ ଆଉ ଫେରିଲାନି
କାନ୍ଦି କାନ୍ଦି ବାପା ମ୍ରିୟମାଣ ହେଲା
ତା ସ୍ୱର ଆଉ ଶୁଭୁନି ।
ପୁଅ ବୋହୂ ଆସି କଲେ କ୍ରିୟା କର୍ମ
ବିକ୍ରି କରି ଘରବାଡ଼ି
ବାପ ହାତ ଧରି ନିର୍ଲଜ ପୁଅଟି
ବୃଦ୍ଧାଶ୍ରାମେ ଦେଲା ଛାଡି ।
ଭୁଲି ପାରୁ ନାହିଁ ଆଜିର ସମାଜ
ଦେଖି ସେ ଦୁଇଟି ଦୃଶ୍ୟ
ତ୍ୟାଗ ବଳିଦାନ ଲିଭିଲା ବାପାର
ପୁଅର କି ଅଟ୍ଟହାସ୍ୟ !
ସେଦିନ ପୁଅର ହାତଧରି ବାପା
ନେଇଥିଲା ପାଠଶାଳା
ବାପା ହାତ ଧରି ବୃଦ୍ଧାଶ୍ରମ ନେଇ
ପୁଅ କରୁଛି କି ଲୀଳା !