ସାନ୍ତ୍ବନା
ସାନ୍ତ୍ବନା
ମୋତେ ଛାଡିଯିବାକୁ ହେବ ମାଟି ଘଟ
ଆଉ କେଉଁ ସୁଖ ସଂଧାନରେ
କେଉଁ ସୁଖ ?
ଏ ଯାଏ ଜିଇ ଆସିଥିବା ଜୀବନ
କାଳେ ଗାଇ ନାହିଁ ସୁଖର ସଂଗୀତ ।
ମୋର ଆୟମାରମ୍ଭ କାଳ
ସଂଭୋଗର ସବୁଜ ସକାଳ
ଅମାଚ୍ଛନ୍ନ ହୋଇଗଲା
ସୂର୍ଯ୍ୟଙ୍କର ପ୍ରଚଣ୍ଡ ଦ୍ୟୁତିରେ
ଦ୍ୟୁତିବାନ୍ ଉତ୍ତାଳ ରଶ୍ମିରେ
ମୋତେ ଫେରିବାକୁ ହେବ
ଗାଇବାକୁ ହେବ ଚର୍ଯ୍ୟାର ସଂଗୀତ
ଅବଶିଷ୍ଟ ଆୟୂଷର କାଳ ।
ଯେଉଁଠି ଶୁଭୁ ନଥିବ
ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ନାଦ
ବୁଦ୍ଧଙ୍କର " ଶରଣମ୍ ଗଚ୍ଛାମି "
ଦୃଶ୍ୟ ହେଉ ନଥିବ
ଯୀଶୁଙ୍କର ସତ୍ ପଥ
ମହମ୍ମଦଙ୍କର ଶୂନ୍ୟ ମସ୍ଜିଦ ।
ମୋତେ ଭସେଇବାକୁ ହେବ ମୋର ନୌକା
ସୀମାହୀନ ମହାସାଗରରେ
ଭାସିବାକୁ ହେବ ଯେଣେତେଣେ ମନଇଚ୍ଛା
ଗାଇବାକୁ ହେବ ସୁଖଚର୍ଯ୍ୟାର ସଂଗୀତ
ବିନା କାହା ନିର୍ଦ୍ଦେଶରେ
ଆପଣାର ଛନ୍ଦହୀନ ଲୟହୀନ
ରାଗ ଶୂନ୍ୟ ବେସୁରା ରାଗରେ ।
ମାଟିଦ୍ବୀପଟିଏ କେଉଁଠି ଅବଶ୍ୟ ଦୃଶ୍ୟହେବ
ନ ଥିବ ବାଧା, ବଂଧନର ବୈଷୟିକ ବିଭା
ଅବଚେତନରେ ଅଟକିଥିବା
କାଳ କାଳ ଭୋଗି ନଥିବା
ସୁଖଚର୍ଯ୍ୟାର ସଂଗୀତ
ଯେଉଁଠି ଗାଇ ହେଉଥିବ ।
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା