ଲମ୍ବା ପଥର ଯାତ୍ରୀ
ଲମ୍ବା ପଥର ଯାତ୍ରୀ
ଲମ୍ବାପଥର ଯାତ୍ରୀ
ମେରୁରୁ ମଳୟଗିରି
ବାୟୂ ମାର୍ଗରେ ଦୂରତା
୨୦ ସେ.ମି. ମାତ୍ର
ତୁମେ କହିଥିଲ
କଳ୍ପନାରେ ଉଡିଚାଲିବାକୁ
ଶିଖରରୁ ଶିଖର ଯାଏଁ
ତଳକୁ ନ ଅନେଇବାକୁ
କାଳେ ଅଣନିଶ୍ଵାସୀ ହୋଇଯିବି
ସତର୍କବାଣୀ କରିଥିଲ
ଓହ୍ଲେଇ ନ ଯିବାକୁ
କେବେ ସେ ଉପତ୍ୟକାକୁ
ବାସ୍ତବର ଧରା ତଳକୁ
ଅପାରଗ ମଣିଷଟିଏ ମୁଁ
କଣ କରିଥାନ୍ତି?
ଯକ୍ଷ ନୁହେଁ ମୁଁ ଅନ୍ୟ ଲୋକର
ପହଞ୍ଚି ଯିବି ଇଚ୍ଛା ହିସାବରେ
ଇପ୍ସିତ ଜାଗାରେ
ତୁମ କଥା ଅଲଗା....
ଯୌବନରେ ବିଗିଡି ଗଲ
ବୋଲି ତ ଆଜି
ତୁମ ମନରେ ଆତ୍ମତୃପ୍ତି
ଜୀବନଟାକୁ ଦୁର୍ଘଟଣାରୁ
ବଞ୍ଚାଇ ନେଇଛ
ମୁଁ ତ ଓହ୍ଲେଇ ଗଲି
କଥା ନ ମାନି ତଳକୁ
ସେଠି ତେଲ ଲୁଣର ଦୁନିଆଁ
ମାଇଲ ମାଇଲ
ଅଙ୍କା ବଙ୍କା ପାହାଡି ରାସ୍ତା
ସେଠି ସେ ଘର୍ମାକ୍ତ ସଡକ
ଉଷୁମ ଉଷୁମ ବନାନୀର ଗନ୍ଧ
(ଏବେ କୁହ, ତୁମକୁ ମୋ ଠାରୁ
ଅଧିକ କିଏ ଜାଣିଛି ?
ଆକାଶରେ ଉଡିବାଟା
ସ୍ୱପ୍ନରେ ଭରା ସବୁବେଳେ
ଡେଣାରେ ଛପି ରହିଥାଏ
କେବେ କ୍ଷୟିଷ୍ଣୁ ନ ହେଉଥିବା ଶକ୍ତି
ମୁଁ ତ ପଥଚାରୀ ଏଠି
ଟିକିଏ ଚାଲିଲେ ବି ଥକିଯାଏ
ହେଲେ ମୁଁ ଜାଣିଛି
ତୁମ ମନର ଗୋଡି ମାଟି ନାଲି ରାସ୍ତା
ଖାଲ ଖମାରି
ଅତଡା ଖସୁଥିବା କୂଳ
ଆଉ ବିସ୍ତୀର୍ଣ୍ଣ ବାଲି ପଠା ବି
ମୁଁ ଜାଣେ ତୁମ ଭିତରେ
ପ୍ରବାହମାନ ଲାଭାର ଚାପ
ଆଉ ଅଗ୍ନ୍ୟୁତ୍ପାତର ସଙ୍କେତ ବି
ତୁମ ହୃଦୟର
ଶେଷ ଖାଲି କୋଠରୀ
ଯେଉଁଠି କେବେଠୁଁ ସର୍ବସଂହା ପଣକୁ
ବାହାରକରି ଧରିତ୍ରୀକୁ
ଫେରାଇ ଦେଇଥିଲ )
ମୋ ଜୀବନର ଧଡରା ବସ୍
ଚାଲିଛି ଧୀରେ ଧୀରେ
ଆଗକୁ ମାଡି
ଏ ଘାଟୀ ସଂକୁଳ ରାସ୍ତାରେ
ତୁମ କଥା ଆଜି ବି ମାନୁଛି
ବାହାରକୁ ମୁଣ୍ଡ କାଢୁନି
ଅଧ ଇଞ୍ଚ ବି
ବରଂ ହଜାଇ ଦେଇଛି
ଜୀବନ ଯାତ୍ରାରେ
ନାକ ମାଡି ତୁମ
ଛାତି ଭିତରେ
ମୁଣ୍ଡ ଲୁଚାଇଲା ପରି
କିନ୍ତୁ ମନେ ରଖିବ
ମୁଁ ଆଗେଇ ଚାଲିଛି
ବାସ,
ଶିଖରରେ ପହଞ୍ଚିବାକୁ
କିଛି ସମୟ ଲାଗିପାରେ
ମନରେ ବହୁତ ଭୟ
ଜାଣିଛି ବହୁତ ବ୍ୟବଧାନ
ଶିଖର ଆଉ ଉପତ୍ୟକାର
ଜଳବାୟୁରେ
ତା ଛଡା ଏତେ ଗୁଡିଏ
ବର୍ଷ ଯାହା ୟା ଭିତରେ
ବିତି ଯାଇଛି !
ମନରେ ବହୁତ ଆଶା ବି
ପୁଣି ଭରି ଦେବ ଶ୍ୟାମଳିମା
ଉଷର ପାଲଟି ଯାଉଥିବା
ଏଇ ଜୀବନରେ
ଫେରାଇ ଆଣିବ ଧରିତ୍ରୀଠାରୁ
ଅଣ୍ଟିରେ ଅଣ୍ଟିଏ
ପୁଣି ସେହି ସର୍ବସଂହା ପଣ
ମୋ ପାଇଁ ନୁହେଁ
ତୁମ ପାଇଁ
କାରଣ ସେଥିରେ ତୁମେ
ସୁନ୍ଦର ଦିଶ
ମୋତେ ସ୍ୱାଗତ କରିବ ତ?
ଚାହିଁବ ମୁଣ୍ଡ ଉଠାଇ
ପ୍ରେମରେ ନ ହେଲେ ବି
ଟିକେ ଅନୁକମ୍ପାରେ
ଲମ୍ବା ବାଟ ଚାଲି ଆସିଥିବା
ଯାତ୍ରୀଟି ଆଡେ