ଭୂତଭୟ
ଭୂତଭୟ
କିଟମିଟ ଅନ୍ଧାରେ ବାଟ ଚାଲୁ ଚାଲୁ
ବୁଦାମୂଳରୁ ଖସକିନା ଶୁଣି ଶବ୍ଦ
ଛାତିରେ ଛେପ ପକାଏ ଚମକି ପଡି
ପିଲାଦିନେ ଆଈମା କୋଳେ
ବୁଢୀଅସୁରାଣୀ ଭୂତ ଗପ ଶୁଣି
ମୁହଁମାଡି ଜାକିଜୁକି ଶୋଇଯାଏ ଭୟରେ ।
ଅନ୍ଧାରେ ତାଣ୍ଡବ କରନ୍ତି କାଳେ ଭୂତମାନେ
ଦିନବେଳା କୁଆଡେ ଯେ ଲୁଚନ୍ତି
ଏସବୁର ପ୍ରଶ୍ନ ଉଙ୍କିମାରୁଥିଲା ଦିନେ ମନେ
ମଣିଷ ମଣିଷକୁ କାହିଁକିବା ଭୟ କରେ
ବାଘ ସିଂହ ହିଂସ୍ର ଜନ୍ତୁଠାରୁ ବି ଅଧିକ
ଅଜବ ଲାଗେ ସବୁ ଏ ମାୟା ଦୁନିଆଁରେ ।
ଜେଜେମା କୁହେ ମୋତେ ଅନେକଥର
ମଣିଷ ମଲାପରେ ଭୂତ ହୋଇଯାଏ
ଆତ୍ମା ତାର ଘୁରିବୁଲେ ଚାରିଆଡେ
ପ୍ରତିଶୋଧ ନେବାକୁ ଡରାଏ ଅନ୍ୟକୁ
ଇଚ୍ଛା ଯଦି ତାର ପୂର୍ଣ୍ଣ ନ ହୋଇଥାଏ
ଅପେକ୍ଷା କରିଥାଏ ନୂଆ କଅଁଳ ଦେହକୁ ।
ଭୂତ ମାନେ ଆଜି ଆଉ ନାହାଁନ୍ତି
ଚିକମିକ ସଫେଦ ଆଲୁଅଭରା ଗାଁ ସହରେ
ଭୟ କିନ୍ତୁ ଛାଡିଯାଇନି ମନେ
ଜିଅନ୍ତା ଦୁର୍ଦ୍ଦାନ୍ତ ଭୂତମାନେ କରନ୍ତି ଭାରି ଦାଦାଗିରୀ
ତୋଫା ତୋଫା ରଙ୍ଗିନ ଜହ୍ନ ଆଲୁଅରେ
ଧଳା ଶାଢୀରେ ସଜାଇ ନିଜକୁ ।
ରାତିଅଧେ ଗଛଡାଳେ ପେଚାରାବ
ବାହାରେ କୁକୁର କାନ୍ଦଣା ଶୁଭିଲେ
ମନ କାହିଁ ପାପ ଗୋଡାଏ
ଭୟର କଳା ବାଦଲ ଢାଙ୍କିଦିଏ
ଦେହରୁ ଗୋଟାପୁଣି ଗମ୍ ଗମ୍ ଝାଳ ବୁହେ
ଦାନ୍ତଭଙ୍ଗା ମାଘୁଆ ଶୀତରେ ।
ପିଲାଦିନୁ ଭୂତଭୟର ମହୁଲୀନିଶା
ଡରାଉଥାଏ ଭାରି ଆଜି ମୋତେ
କେତେବେଳେ ମୁଁ ଭୂତ ଭିତରେ
ନିଜ ଛାଇକୁ ଦେଖି ଚମକୁଥାଏ
ଲୋମମୂଳ ସବୁ ଟାଙ୍କୁରୀ ଉଠେ
ଦେଖି ଜିଅନ୍ତା ଭୂତମାନଙ୍କୁ ଏ ସଫେଦ ଆଲୁଅରେ ।