ଶବ୍ଦ ବି ଲୁହ ଝରାଏ
ଶବ୍ଦ ବି ଲୁହ ଝରାଏ
1 min
284
ଆଖି ସିନା କାନ୍ଦେ ଦରଦ ଢେଉରେ
ଦେଖିଛ କି କେବେ
ଶବ୍ଦ ବି ଲୁହ ଝରାଏ !
ଆଖିର ଲୁହକୁ ପୋଛି ହୁଏ ସିନା
ଶବ୍ଦ ତା'ଲୁହରେ
ହୃଦୟ ଭିଜାଇ ଦିଏ ।
ଓଠ ସିନା କୁହେ ଥରାଇ ଥରାଇ
କଅଁଳ ମଧୁର
ଅଧରର ମହୁ କଥା ।
ଆଖି ଗାଇଯାଏ ଅଳସୀ ଅଳସୀ
ଅଳ୍ପ ଇସାରାରେ
ବକ୍ଷ ର ବିପୁଳ ଗାଥା ।
ଦେଖିଛ, ଜାଣିଛ, ଶୁଣିଛ କି କେବେ
ଜହ୍ନର ଜୋଛନା
ସାଗରକୁ ଛୁଇଁ ଥାଏ !
ସାଗରକୁ ସିଏ ଚୁମି ଯାଏ ସିନା
ଦୂରରେ ଥାଇ ବି
ସଂଭ୍ରମେ ସାଇତି ନିଏ ।
ପ୍ରୀତି ପାଖୁଡ଼ାର ଅଳସୀ କଳସେ
ପତ୍ରରେ ପତ୍ରରେ
ପ୍ରେମ ପାରିଜାତ ଛୁଏଁ ।
ତା'ମହକ କେବେ ଉଣା ହୁଏ ନାହିଁ
ମତାନ୍ତର ନୁହେଁ,
ଚିରନ୍ତନ ରୂପ ନିଏ ।
ବନ୍ଧୁ ପଣେ ଅବା ସାଥି ପଣିଆ ରେ
ବୈଧବ୍ୟ ଶୋଭେନା,
ଶୋଭେନା ବିଚ୍ଛେଦ ଭାବ ।
ବିଚ୍ଛେଦ ହେଲେ ବି କ୍ଷୀଣ,କ୍ଷଣସ୍ଥାୟୀ
ଚିରନ୍ତନ ପ୍ରେମ
ବନ୍ଧୁର ସତ୍ୟ ସ୍ଵଭାଵ ।
ଦୂରେ ବହୁ ଦୂରେ ଅବା ଦୁର୍ଭେଦ୍ୟରେ
ଥାଉ ପଛେ ବନ୍ଧୁ
ସେ ହିଁ ଶ୍ରେୟଃ ଜୀବନର ।
ପାର୍ଥିବ ଦୂରତ୍ୱ ବନ୍ଧୁ ଙ୍କ ବ୍ୟକ୍ତିତ୍ୱ
ଛୁଇଁ ଯେ ନ ଥାଏ
ନିଆରା ପ୍ରୀତି ସମ୍ଭାର ।
ବ୍ୟସ୍ତତା ଭିତରେ ବନ୍ଧୁତ୍ୱ ହଜେନା
ଗୁମାନ ହେଲେ ବି
ଲିଭେନା ତା'ପ୍ରୀତି ପଣ ।
ବନ୍ଧୁତା ଟି ସୂକ୍ଷ୍ମ ସୁତା ଖିଅ ନୁହେଁ
ଜନମ ଜନମ
ବଳିଷ୍ଠ ତା'ନିବେଦନ ।
ହେ ବନ୍ଧୁ,ଉର୍ବର ଆତ୍ମା ମୋ'ବକ୍ଷର
ତୁମ ପାଇଁ ମୋର
ହୃଦୟ ନିଭୃତ କୋଣ ।
ସଦା ଶୃଙ୍ଖଳିତ ଧର୍ମେ ସୁସଜ୍ଜିତ
ହୃଦ ସିଂହାସନ
କରେ ସମ୍ମାନ ଅର୍ପଣ ।