କନ୍ୟାରତ୍ନ
କନ୍ୟାରତ୍ନ
ଆଖି ମୋ ଫିଟାଇ ଦେଖିଲି ମୁଁ ଯେବେ
ଦିଶିଲା ଉଦାସ ମୁହଁ,
ବାପା ମାଆଙ୍କର ଚକ୍ଷୁ ଯୁଗଳରୁ
ବହୁଛି କିମ୍ପାଇ ଲୁହ ॥
କି ଦୋଷ କରିଲି ଜାଣି ନ ପାରିଲି
ବିଧାତାର ଏ କି ଖେଳ,
ସ୍ନେହର ପରଶ ପାଇବାକୁ ଆଜି
ହୁଏ ମୁଁ କେତେ ବ୍ୟାକୁଳ ॥
ମାଆ ମାଆ ଡାକି ହେଉଛି ଅଥୟ
କାହିଁ ନ ଶୁଣୁ ମୋ ଡାକ,
ଭୋକ ଉପାସରେ ଆତୁର ଆଜି ମୁଁ
ପାଖକୁ ଆସି ମୋ ଦେଖ ॥
କେବେ ମୋତେ ତୋର କୋଳରେ କାଖେଇ
କରିବୁ କି ଥରେ ଗେଲ,
ହାତକୁ ବଢାଇ କେତେ ଯେ ଡାକିଛି
ଶୁଣି ପାରୁନୁ ମୋ ବୋଲ ?
ଗୁରୁଣ୍ଡିବା ଛାଡି ଠିଆ ହେଲି ଯେବେ
ଲାଗିଲା ଜିଣିଲି ଗଡ,
ଚାଲି କିଛି ବାଟ ପଡି ଗଲି ତଳେ
ଖଣ୍ଡିଆ ହେଲା ମୋ ଗୋଡ ॥
ଆସିଲୁ ଦଉଡି ପାଖକୁ ମୋହର
ସବୁ କାମ ଧାମ ଛାଡି,
ଭାବିଲି ମୋତେ ତୁ କାଖେଇ ନେବୁ କି
କ୍ଷତ ସ୍ଥାନ ଦେବୁ ଝାଡି ॥
ମାତ୍ର ମୋର ଆଶା ପାଣିର ଫୋଟକା
ପରାୟେ ଗଲା ମିଳାଇ,
ପ୍ରହାରରେ ତୋର ଭୂ-ପତିତ ହେଲି
ନୀରବ ନିସ୍ତବ୍ଧ ମୁହିଁ ॥
ଗୋଡ ହାତ ଯଦି ଭାଙ୍ଗି ଯିବ ତୋର
କିଏ ହେବ ତୋତେ ବାହା ,
ବାହୁନି ବାହୁନି କାନ୍ଦୁଛି ମୋ ମାଆ
ପାଉ ନାହିଁ ଆଉ ରାହା ॥
କଅଁଳ ହାତରେ ରକତ ମୋ ପୋଛି
ନିରବେ ରହିଲି ବସି,
ଜନ୍ମଦାତ୍ରୀ ମୋର ଏ କି ରୂପ ତୋର
ପାରୁନି ତୋତେ ଭରସି ॥
ସାହି ପିଲା ସବୁ ବହି ପତ୍ର ଧରି
ଗାଁ ସ୍କୁଲ ଗଲେ ପଢି,
ହାତରେ ଅଛି ମୋ ଗଣ୍ଠିଲିଏ ଲୁଗା
ବାପା ଜାମା ମାଆ ଶାଢୀ ॥
କେଶ ମୋ ନୁଖୁରା ଜାମା ମୋର ଚିରା
ଦେହରେ ଦି ଖଣ୍ଡି ହାଡ,
କାମ କରି କରି ନାହିଁ ମୋ ଅବସ୍ଥା
ନ ପାରିଲେ ଖାଏ ମାଡ ॥
ଭଲ କରି କେହି କଥା ପଦୁଟିଏ
କହିଲେନି ମୋତେ କେବେ,
ଝିଅ ଜନ୍ମ ପାଇ କି ପାପ କରିଛି
ମନେ ମନେ ଖାଲି ଭାବେ ॥
ମାଆର ପଣତ ବାପାଙ୍କର ସ୍ନେହ
ଦିବାସ୍ଵପ୍ନ ମୋର ପାଇଁ ,
ଜୀବନ ଧରି ମୁଁ ବଞ୍ଚିଅଛି ସତ
ଶରୀରରେ ଆତ୍ମା ନାହିଁ ॥
ବାପାଙ୍କର ଚିନ୍ତା ବାହା ଦେବେ ମୋତେ
ଯାନି ଯଉତୁକ ଦେଇ,
ଯଥା ଶୀଘ୍ର ବାହା କାମ ସାରିଦେଲେ
ବୋଝ ଯିବ ଦୂର ହୋଇ ॥
ଶାଶୁ ଘରେ ଆଜି ଲାଗେ ସବୁ ନୂଆ
ନୂଆ ଜାଗା ନୂଆ ଲୋକ,
ପ୍ରଥମ ଦିନରୁ ଯାତନା ଆରମ୍ଭ
ବେଶି ଟଙ୍କା ପାଇଁ ଲୋଭ ॥
ଶାଶୁ ଶ୍ଵଶୁର ଓ ସ୍ଵାମୀ ମୋର ମିଶି
କଟୁ କଥା ମାନ କହି ,
ମାଗନ୍ତି ଅଧିକ ସୁନା, ରୂପା, ଟଙ୍କା
ସେ ଲୋଭର ଅନ୍ତ ନାହିଁ ॥
ଖାଇ ମାଡ ଗାଳି ଦୁଃଖରେ ସନ୍ତୁଳି
ବିତୁଛି ମୋର ଜୀବନ,
ଗର୍ଭରେ ବଢୁଛି ନୂଆ ପ୍ରାଣ ଏକ
ପ୍ରସବ ଦିନ ଆସନ୍ନ ॥
ଏନ୍ତୁଡି ଶାଳରେ ରୋଦନର ଧ୍ୱନି
ଜନମିଲା ଏକ କନ୍ୟା,
ସ୍ଵାମୀ ଧିକ୍କାରିଲେ ଚିତ୍କାର କରିଲେ
ଆଖିରେ କ୍ରୋଧର ବନ୍ୟା ॥
କନ୍ୟାଟିକୁ ମୋର ହତ୍ୟା କରିବାକୁ
ଉଦ୍ୟତ ହେଲେ ମୋ ଶାଶୁ ,
ଜନମ ବେଳରୁ ନିଃଶେଷ କରିଲେ
ଚିନ୍ତା ମୁକ୍ତି ହେବେ ସବୁ ॥
ପ୍ରଥମ ଥର ମୁଁ ଚିତ୍କାର କରିଲି
କନ୍ୟାକୁ ଧରି ମୋ କୋଳେ,
କରିବି ନିପାତ ହୋଇଲେ ଉତ୍ପାତ
କ୍ରୋଧ ବହ୍ନି ମନେ ଜଳେ ॥
ଦେଖି ମୋର ରୂପ ସମସ୍ତ ଶଙ୍କିତ
ଦୂର ହେଲେ ଶାଶୁ ସ୍ଵାମୀ,
ଅଧରୁ କାହାର ବାକ୍ୟ ନ ସ୍ଫୁରିଲା
ଘୁଞ୍ଚି ଗଲେ ପରାକ୍ରମୀ ॥
କନ୍ୟା କୁ ମୋହର ମୁହିଁ ଯେ ପାଳିବି
ନାହିଁ ତାର ବାପ ଲୋଡା,
ମେରୁଦଣ୍ଡହୀନ ପ୍ରାଣୀ ମୋର ସ୍ଵାମୀ
ଦେଇ ଜାଣେ ଖାଲି ପୀଡା ॥
ମୁକ୍ତ ଆକାଶର ବିହଙ୍ଗମ ମୁଁ ଯେ
ନୁହଁ ତ ପଞ୍ଜୁରି ଶାରୀ,
ଯାତନା କଷଣ ଆଉ ନ ସହିବି
ହେ ପୁରୁଷ ଯାଅ ଫେରି ॥
କନ୍ୟାକୁ ମୋହର ମଣିଷ କରିବି
ଲୋଡା ନାହିଁ କାହା ଦୟା ,
ପୁରୁଷ ସୁରକ୍ଷା ନାହିଁ ଆବଶ୍ୟକ,
ନିଜ ଗୋଡେ ହେବି ଠିଆ ॥
କନ୍ୟା ମୋ ବଢିବ ରାଜକନ୍ୟା ପରି
ଯୋଗାଇବି ସବୁ ସୁଖ ,
ବାପ ନାହିଁ ବୋଲି କେବେ ନ ଭାବିବ
ମନେ ତ ଦେବିନି ଦୁଃଖ ॥
ମାଜୁଛି ବାସନ କରୁଛି କଷଣ
ଝିଅ ମୋ ପଢୁଛି ପାଠ,
ବିଦ୍ୟାଳୟେ ତାର ପ୍ରଥମ ହେଉଛି
ସଭିଙ୍କର ପ୍ରିୟ ଲାଟ ॥
ସ୍କୁଲ ପାଠ ସାରି ଝିଅ ମୋର ଏବେ
ବଡ କଲେଜର ଛାତ୍ରୀ,
ପାଠଶାଠ ସବୁ କ୍ଷେତ୍ରରେ ଆଗୁଆ
ସମସ୍ତଙ୍କ ପ୍ରିୟ ପାତ୍ରୀ ॥
ପଡିଶା ଘରୁ ମୋ ଝିଅ ଧାଇଁ ଆସି
କୁଣ୍ଢାଇ ଧରିଲା ମୋତେ ,
କହିଲା ବୋଉ ଲୋ ହେବି ଜିଲ୍ଲାପାଳ
ଟିଭି ଖୋଲି ଟିକେ ଦେଖ ।
ତୋ'ଅରି ଆଶିଷ ପାଇ ଆଜି ହେଲି
ଆଇ ଏ ସ ଟପର ମୁହିଁ,
ଜନମ ମୋହର ସଫଳ ହୋଇଲା
ତୋର ଯେ ସନ୍ତାନ ହୋଇ ।
ପାରୁନି ଭରସି ଦେଲା ଏତେ ଖୁସି
କନ୍ୟା ରତ୍ନ ମୋର ହୀରା,
ସପନ ଆଜି ମୋ ବାସ୍ତବ ହୋଇଛି
ଖୁସିରେ ମୁଁ ଆତ୍ମହରା ॥
କନ୍ୟା ବୋଲି କେବେ ହୀନ ନ ମଣିବ
ସ୍ରଷ୍ଟାଙ୍କର ସିଏ ରୂପ,
ଗଙ୍ଗା ଜଳ ପରି ଶୀତଳ ପବିତ୍ର
ହରଇ ଦୁଃଖ ସନ୍ତାପ ॥
ଅର୍ଥ ଲାଳସାରେ ଲୋଭ ଗ୍ରସ୍ତ
ହୋଇ ନ କର ହେ ଭୃଣ ହତ୍ୟା ,
ହୋଇଯିବ ଜାଣ ସୃଷ୍ଟିର ବିନାଶ
ଧ୍ଵଂସ ହେବ ଜୀବ ସତ୍ତା ॥
********