ବର୍ଷା ତୁମେ
ବର୍ଷା ତୁମେ
ବର୍ଷା .. ବର୍ଷା .. ବର୍ଷା ..
ଏ ସହରଟା ଜଳୁଥଲା
ରୌଦ୍ରର ପ୍ରଚଣ୍ଡ ଉତ୍ତାପେ,
ଈର୍ଷାର ଜ୍ୱଳନ୍ତ ଅଗ୍ନିରେ,
ଭୋକର ଲେଲିହାନ ଶିଖାରେ,
ଆତତାୟୀର ବାରୁଦ ଖେଳରେ.
ପୁଞ୍ଜିପତିଙ୍କ ଶୋଷଣ ଦାଉରେ
ପୁଲିସର ନିଷ୍କ୍ରିୟତାରେ,
କାନୁନର ଅନ୍ଧପଣରେ,
ସରକାରଙ୍କ ଅପାରଗ ପଣିଆରେ,
ଶିକ୍ଷାର ଅବ ମୂଲ୍ୟବୋଧରେ,
ବେକାରିର ଅସହ୍ୟ ତାଡନାରେ,
ମଣିଷର ମଣିଷକୁ ଅହର୍ନିଶି
ପ୍ରତ୍ୟାଖ୍ୟାନ କରିବା ଭିତରେ !
ପ୍ରଶମିତ କରିବାକୁ ସେହି ଅଗ୍ନି
ଦେଲ ନିଜ ଛାତି ଚିରି
ଝରାଇଲ ଶରୀରର ଶେଷ ରକ୍ତ ବିନ୍ଦୁ !
କିଛି ପାଇବାର ଆଶା ନଥିଲା କାହାଠୁ
ଚାହୁଁଥିଲ ସସାଗରା ପୃଥିବୀକୁ
କରିବାକୁ ଶାନ୍ତ
ଅସରନ୍ତି ମମତାର ବିନ୍ଦୁ ଯେତେ ଢାଳି !
କିନ୍ତୁ ହାଏ ..
ନିଃସ୍ୱାର୍ଥ୍ୟ ବଳିଦାନର ମୂଲ୍ୟ
କାହାକୁ ଏ ସହରଟା
କେବେ ଦେଇନାହିଁ ଯେତେବେଳେ
କାହିଁକି ବା ଦେଇଥାନ୍ତା ତୁମକୁ ସେ
ତୁମ ଅନାବିଳ ଆନ୍ତରିକତାକୁ
ସମ୍ମାନ ଜଣାଇ !
ବରଂ ସେ ଏବେ ଜଳୁଛି
ଆହୁରି ହୁତ୍ ହୁତ୍ ହେଇ
ଆଉ ଏମିତି ଜଳି ଚାଲିଥିବ
ମାନବ ସଭ୍ୟତାର ଶେଷ ଚିହ୍ନ
ଏ ଧରାରୁ ଲିଭିଯିବା ଯାଏଁ ..
ତୁମେ ତଥାପି ବି ଢାଳୁଥିବ ମମତାର ଧାର
ଏମିତି ଟୋପାଏ ଟୋପାଏ
ବାରମ୍ବାର ନିଜ ହୃଦୟକୁ
ଛିନ୍ ଭିନ୍ କରି !!