Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଅନାଥ

ଅନାଥ

3 mins
1.9K



ବଙ୍ଗସିନ୍ଧୁ ବେଳାପରେ କେହିଜଣେ କିଶୋର ବାଳକ

ଦୂରୁ ଦେଖି ଲାଗୁଥିଲା ସତେ କି ସେ କଇଁଛ ପାଳକ ।


କୁନିକୁନି ହାତେ ତାର ଶାବକଙ୍କୁ ଧରି କଉଶଳେ

ଆସ୍ତେ ଆସ୍ତେ ଛାଡୁଥିଲା ଢେଉମୟ ସମୁଦ୍ରର ଜଳେ ।


ଚୁପିଚୁପି କାନେ ତାଙ୍କ ଆଳାପଇ ଅନ୍ତରର କଥା

ଆଚମ୍ବିତ ତଟସ୍ଥ ମୁଁ ଦେଖୁ ଦେଖୁ ସାଉଁଳଇ ମଥା ।


ପଚାରିଲି ସ୍ନେହ ଭରେ କହିବୁ କି କେମନ୍ତ ଏ ଭାଷା

କଥା ତୋର ବୁଝିବେ କି ସେ କଇଁଛ ନାହିଁ ମୋର ଆଶା ।


ବଲବଲ ଅନାଇ ସେ ମୋତେ ଦେଖି ଅଳ୍ପ ଦେଲା ହସି

କହିଗଲା ମାତା ତାଙ୍କ ଡିମ୍ବ ଦେଇ ଜଳେ ଗଲେ ପଶି ।


ଛେଉଁଣ୍ଡ ଏ ମୋର ସମ ଦେଖ ଏଠି କେଡେ ବେସାହାରା

ଶ୍ବାନ ଶ୍ୟେନ ପଞ୍ଝା ତଳେ ନିରବଧି ଜିଜୀବିଷା ଭାରା ।


ସୁରକ୍ଷିତ ଛାଡେ ତାଙ୍କୁ ଖୋଜିବାକୁ ପିତାମାତା ଜଳେ

କହିଦିଏ ମୋର ବାପା ବୋଉ ଠାବ କରିବାକୁ ଥଳେ ।


ଅନାଥର ଜୀବନକୁ ନିକଟରୁ ଦେଖିଅଛି ନିଜେ

ଧୂଳିଘର ଖେଳ ଛାଡି ସେଥିପାଇଁ ହୋଇଅଛି ବିଜେ ।


କୁନିକୁନି ବେସାହାରା କଇଁଛ ଏ ବେଳାଭୂମି ପରେ

ଦେଖ ଏଠି ପଡିଉଠି ଥରହର ଶିକାରୀଙ୍କ ଡରେ ।


ଦିନ ଥିଲା ସମୁଦ୍ରର ଏହି ତଟେ ମୁହିଁ ମଧ୍ୟ ଥରହର ହୋଇ

କ୍ଷୁଧାତୁରେ ବିବଶ ମୁଁ କାନ୍ଦୁ କାନ୍ଦୁ ପଡିଥିଲି ଶୋଇ ।


ନୋଳିଆଣୀ ମାଆ ଜଣେ ଦେଖିଥିଲା ବାଟେ ଯାଉଯାଉ

ଦୟାବଶେ ହାତେ ତୋଳି ଘେନିଗଲା କି କହିବି ଆଉ ।


ସିମେଣ୍ଟ ଓ ବାଲି ବୋଳା ସମାଜରେ ଅନାଥଟେ ବୋଲି

ସରଳା ସେ ଦାଣ୍ଡ ଲୋକେ ପରିଚୟ କରାଇଲା ଖୋଲି ।


ଛୋଟରୁ ତ ବଡ କଲା ପାଳି ପୋଷି ନିଜ ବେଉସାରେ

ତା'ଛଡା କେ ଅଛି ମୋର ସାଙ୍ଗ ଆଉ ବିଶାଳ ସଂସାରେ ?


ସାଥୀଟିଏ ସାଜିଛି ମୁଁ ଭୋଗେ ଯେଣୁ ଏହି ସମଦଶା

ଜଗିଥାଏ ପ୍ରତିବର୍ଷ ଦୂରେ ଦୂରେ ଖୋଜି ତାଙ୍କ ବସା ।


ଆଖି ମୋର ଛଳଛଳ ଦେଖି ତା'ର ନିଷ୍କପଟ ଭାବ

ସୀମାହୀନ ସଂସାରରେ ଉବୁଟୁବୁ ତା' ଜୀବନ ନାବ ।


ଅଲକ୍ଷ୍ୟରେ ହୃଦୟେ ମୋ ତାହା ପ୍ରତି ସ୍ନେହ ହେଲା ଜାତ

ମୋ ଭିତର ମଣିଷଟା ତତକ୍ଷଣେ ବଢାଇଲା ହାତ ।


ନିଜ ହାତେ ବାଟବଣା ଶାବକଙ୍କୁ ଯତନରେ ଧରି

ଧୀରେ ନେଇ ସିନ୍ଧୁଜଳେ ଛାଡୁଥାଏ ମନେ ସ୍ନେହ ଭରି ।


ତା' ସାଥିରେ ଅବିରତ ଧାଉଁ ଧାଉଁ ଭୁଲିଗଲି କ୍ଳାନ୍ତି

ଅପୂର୍ବ ସେ ଅନୁଭୂତି ଅନ୍ତରରେ ଲଭେ କେତେ ଶାନ୍ତି ।


ନିଃଶ୍ବାସଟେ ଛାଡି ଯେବେ ବସିଗଲି ସେ ବାଳକ ପାଶେ

ଅଜାଣତ ଅନୁରାଗେ ସାଙ୍ଗ କହି ଉଚ୍ଚାରେ ମୁଁ ଭାଷେ ।


ଚାହୁଁ ଚାହୁଁ କହିଲା ସେ ଏଥିପାଇଁ ସର୍ତ୍ତ ମୋର ଜାଣ

ସେହି ସର୍ତ୍ତ ରଖିବାକୁ ଆଗ ତୁମେ ଖାଅ ଏକ ରାଣ ।


ଭାବୁଥିଲି କଇଁଛଙ୍କ ରାଣ ବଳେ ଜିତିବି କି ମନ

କେଉଁ ଅବା ଅଧିକାରେ ନିରୀହଙ୍କୁ ମଣେ ନିଜ ଧନ ?


ହୃଦୟରେ ବାଳଭାବ ଜାଗିଥିଲା କି କରନ୍ତି ଆନ

ନିରୁପାୟ ହୋଇ ଶେଷେ ତାହା ଆଗେ ନେଲି ନିଜ ରାଣ ।


ସେ ବାଳକ କହେ ଏବେ ଶୁଣ ସାଙ୍ଗ ସର୍ତ୍ତ ଅଛି ଯାହା

ମୋର ବାପା ମାଆଙ୍କୁ ତ ଖୋଜିବାରେ ହେବ ଟିକେ ସାହା ।


କଥା ଦେଲି ସେହି କ୍ଷଣି ଖୋଜିବାର କାମ ଛଡା ଭିନ୍ନ

ଅନ୍ୟ କାମ ଆଉ ନାହିଁ ଟିକେ ରହ ଅଳ୍ପ କିଛି ଦିନ ।


ହେଲେ ମୋତେ ଆଉ ଭଲ ଲାଗୁନାହିଁ ତୁମର ସେ ନାମ

ବନ୍ଧୁ ତୁମେ ଆଜିଠାରୁ ପ୍ରାଣୀ ହିତେ କର ଯେଣୁ କାମ ।


ଆଚ୍ଛା ବନ୍ଧୁ କହିବ କି ଏ ଥାନରେ ଲାଗୁନି କି ଡର

ଲାଗିଅଛ ଏକୁଟିଆ ଛାଡି ନିଜ ଖେଳ ବାଲିଘର ।


କହିଲା ସେ ଏଠି ନାହିଁ ତିଳେ ହେଲେ ଅବିଶ୍ୱାସ ବିଷ

ଆଦରର ପାତ୍ର ଏହି ଜୀବଗଣ କରନ୍ତେ ବା କିସ ?


ସରକାରୀ ତଟରକ୍ଷୀ ଜାଣିଛନ୍ତି ମୋତେ ସିଧାସାଧା

କେବେ ହେଲେ ଆଜିଯାଏଁ ଏହି କାମେ ଦିଅନ୍ତିନି ବାଧା ।


ପଚାରିଲି ମିଳିଗଲେ ବାପାମାଆ ମନ କରି ଊଣା

ସେମାନଙ୍କ କାମ ପାଇଁ କରିବ କି କେବେ ହେଲେ ଘୃଣା ।


କହିଲା ସେ ଏହା ଶୁଣି ଲାଗୁଅଛି ଭାରି ମନ ବ୍ୟଥା

ଆଲୋକ ଯେ ଦେଖାଇଲେ ତାଙ୍କ ପାଦେ ଝୁଙ୍କାଇବି ମଥା ।


ସେହି ଆମ ଭଗବାନ ବୋଲି କିବା ଜାଣିନ କିପାଇଁ

ଏତକ ହିଁ ଶୁଣୁ ଶୁଣୁ ଲୁହ ପୋଛି ପଳାଇଲି ଧାଇଁ ।


ପଛେ ପଛେ ଅନୁସରି ବନ୍ଧୁ ସେହି ଆସୁଥିଲା ଖରେ

ଧଇଁସଇଁ ହୋଇ ଘରେ ପହଞ୍ଚିଲି ଆସି ଏକାଥରେ ।


ସିଧା ଯାଇ ବାପାଙ୍କର ଗୋଡ ତଳେ ମାଗିଲି ମୁଁ କ୍ଷମା

କହିଥିଲି ମୋର ଦୋଷ ଥିଲେ ରୋଷ କରିବନି ଜମା ।


ଜରାଶ୍ରମେ ଯିବ ବୋଲି ଆଉଥରେ କହିବନି କେବେ

ଅନାଥ ଏ ବନ୍ଧୁ ମୋର ଖୋଲିଦେଲା ଆଖି ଏବେ ଏବେ ।


ସବୁ ଶୁଣି କହିଲେ ସେ ନାତି ହୋଇ ଥାଉ ଆମ ଘରେ

ଭାର୍ଯ୍ୟା ମୋର ଧାଇଁ ଆସି କୋଳାଇଲା ତାକୁ ସ୍ନେହ ଭରେ ।


ପ୍ରସନ୍ନ କୁମାର ମାଦଳା


Rate this content
Log in