ଦେବତା ଆସନ ଦିଅ ନାହିଁ ମୋତେ
ଦେବତା ଆସନ ଦିଅ ନାହିଁ ମୋତେ
ମୋ ଉପରେ ଏତେ ଅଭିମାନ ଅବା
ରାଗ ରୁଷା କାହିପାଇଁ ,
ଆକାଶ ସାଗର ସବୁଠି ଖୋଜୁଛି
ତୁମକୁ ମୁଁ ପାଉନାହିଁ ।
ଖୋଜୁଛି ଖୋଜିବି,ଖୋଜି ଚାଲିଥିବି
ପଦ ଚିହ୍ନ ଦେଖି ଦେଖି,
ପଦ ଚିହ୍ନରେ ବି ସ୍ପର୍ଶ ଅନୁଭବି
ବୁଜିଦେବି ଦିନେ ଆଖି ।
ଭାବି ନଥିଲି ମୁଁ ବର୍ଣ୍ଣାଢ୍ୟ ବନ୍ଧୁତା
ଅଳିକରେ ଚୁନା ହେବ,
ଦୋଷ ତୁମ ନାହିଁ ମୁଁ ବି ନିର୍ଦ୍ଦୋଷ
କିପାଇଁ ଏ ଭିନ୍ନ ଭାବ !
ବୃଥାରେ ବୃଥାରେ ମୋ'ନାମ ଯୋଡିଲ
ଅପରାଧି ଉପାଧିରେ ,
ଶୂନ୍ୟରେ ଶୂନ୍ୟରେ ଦୋଷ ଖଞ୍ଜିଦେଇ
ନିଜେ ବି ଅଛ ଦୁଃଖରେ ।
ଆନ ନୟନରେ କାହିଁକି ଦେଖୁଛ
ତୁମ ଆଖି ଥାଉ ଥାଉ,
ନିଜ ଆଖି କେବେ ପ୍ରତାରକ ନୁହେଁ
ଏତିକି ଭରସା ରହୁ ।
ଅଘଟଣ ଅବା ଦୁର୍ଘଟଣା ଆସୁ
ସମ୍ପର୍କ ହୃଦୟୁ ଥିଲେ,
ଭାଙ୍ଗିବନି କେବେ ହଜିବିନି କେବେ
ଯେଡ଼େ ବି ଝଡ଼ ଆସିଲେ ।
ନିଜ ବିବେକରେ ନିଜ ହୃଦୟରେ
ଥରୁଟିଏ ଖୋଜି ଦେଖ,
ଅନ୍ଧାରେ ଥାଇ ବି ଦିଶି ଦିଶୁଥିବି
ମୁଁ ପରା ନିଜର ଲୋକ ।
ଆତ୍ମିକ ସମ୍ପର୍କ ସଦା ଚିରନ୍ତନ
ମୃତ୍ୟୁ ପରେ ବି ଜୀବନ୍ତ ,
ଆଙ୍ଗିକ ସମ୍ପର୍କ ଲୀନ ହୋଇଯାଏ
ଆତ୍ମିକର ନାହିଁ ଅନ୍ତ ।
ସନ୍ଦେହେ ସନ୍ଦେହେ ଦୁର୍ବାର ଦରଦ
ଅଜାଣତେ ଦେଇଦେଲ,
ଭ୍ରମରେ ଭ୍ରମରେ ଏଇ ମଣିଷକୁ
ଦେବତା ସଜେଇ ଦେଲ ।
ମଣିଷ ହୋଇ ମୁଁ ଜନମ ନେଇଛି
ମଣିଷ ହୋଇ ବଞ୍ଚିବି,
ଦେବତା ଆସନ ଦିଅ ନାହିଁ ମୋତେ
ବଞ୍ଚୁ ବଞ୍ଚୁ ମରିଯିବି ।