ପ୍ରତିଶ୍ରୁତି
ପ୍ରତିଶ୍ରୁତି
ବେଶ୍ ଭଲଥିଲା !
ଆମ ସଂପର୍କର ଦାଢ
ସେତେବେଳେ,
ନିରୋଳା ମୁହୂର୍ତ୍ତ ମାନଙ୍କ ସହ
କଥା ହେଲାବେଳେ ।।
ଫଗୁଣ ବି' ପଶି ଆସିଥିଲା
ଇଛାକୃତ ଭାବେ
ଆମ ଦେହରେ-ଭିତରେ-ବାହାରେ
ଅଝଟ ବେଳରେ,
ଦୁକୁ ଦୁକୁ ହେଉଥିବା
ଆମ ଛାତିତଳ ପ୍ରତିଟି ସ୍ପନ୍ଦନରେ ।।
ସବୁଜ ବଳୟର ଦାଢେ ଦାଢେ ଦାଢେ
ନୀଡଟିଏ ଖୋଜୁଥିଲେ
ଆମେ ଦୁହେଁ-ଦୁହିଁଙ୍କ ଭିତରେ
ସେତେବେଳେ,
ଅଳସ ବୟସଟା ଭାଂଗିଯିବା ପରେ
ପତ୍ରଝଡା ଋତୁର ସଂଗମ ସ୍ଥଳରେ ।।
ବାସ୍ ! ଏତିକି ହିଁ ଥିଲା
ତୁମ ସହ ସଂପର୍କ ଯୋଡିବାର
ଅନ୍ତିମ ମୁହୂର୍ତ୍ତ
ହୁଗୁଳା ଦେହ ଓ ମନର
ମୌନ ଆର୍ତ୍ତନାଦ ।।
ତା'ପରେ ଆମେ ଦୁହେଁ-ଦୁହିଁଙ୍କ ଠାରୁ
ଅପହଞ୍ଚ ଦୂରତାରେ ......
ମାଟି ଠାରୁ ଆକାଶ ଯାଏ
ତୁମ ବେଣୀ ଲମ୍ବିଗଲା ପରେ
ପାରିବା ପଣକୁ ତୁମେ
ଅପାଂକ୍ତେୟ ମୋହରେ
ସଂଧି କରିନେଲ
ଧୀର ପାଣି ଧୀର ପବନ ଖାଇ
ଅଜ୍ଞାତ ବାସରେ ଆଉ କାହା ସହ
ହାତ ଥାପି ଦେଲ
ମୁଁ ' ଜଗି ରହିଲି
ସେହି ପୁରୁଣା ତୁଠକୁ
ବାସି ଫୁଲର ପାଖୁଡା ମାନଙ୍କୁ
ଭଲପାଇ ବସିଲି
ତୁମେ ଦେଇଥିବା
ତୁମର ସେ' କାକର ଭିଜା
ନିର୍ଭର ପ୍ରତିଶ୍ରୁତିକୁ !!
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ, ଉଦୟ ନଗର
ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)