ସୁନ୍ଦର ମୋ ଗାଆଁ
ସୁନ୍ଦର ମୋ ଗାଆଁ
1 min
6.7K
ସରସୀର କୂଳେ ଓସ୍ତ ଗଛ ମୂଳେ
ସୁଲୁସୁଲୁ ବହେ ବାଆ
ସଞ୍ଜ ଗଲେ ନଇଁ ହସି ଉଠେ କଇଁ
ସୁନ୍ଦର ଲାଗେ ମୋ ଗାଆଁ ।
ସରାଗେ ହମ୍ବାଳି ବତ୍ସାଙ୍କୁ ସମ୍ଭାଳି
ସଦନେ ଫେରେ ଗୋକୁଳ
ସରଗରେ ଜହ୍ନ ହସେ ଛନଛନ
ସାଥେ ଧରି ତାରା ଫୁଲ ।
ସଙ୍ଗତରେ ଖେଳି କରି କେତେ କେଳି
ସବୁ ପୁଅଝିଅ ଫେରି
ସମୟରେ ବସି ଘେନି ଖାତା ମସୀ
ସମୀପେ ପଢନ୍ତି ଘେରି ।
ସାରି ଖିଆପିଆ ଯେତେ ଦିଆନିଆ
ସକଳେ ଯାଆନ୍ତେ ଶୋଇ
ସକାଳୁ ସହଳ ଉଠନ୍ତେ ଚହଳ
ସମୂଚୟ ଭାବ ଥୋଇ ।
ସୂରୁଯ ବି ଆସେ ପୂରୁବ ଆକାଶେ
ସୁଦୂର ଗିରି ବଳୟେ
ସୁକୋମଳ ଖରା ପଡନ୍ତେ ଏ ଧରା
ସରସ ,ମନ୍ଦ ମଳୟେ ।
ସରହଦେ ଥାଇ ମାଟି ଗୀତ ଗାଇ
ସୁର ତୋଳେ ବନଗିରି
ସସାଗରା ଧରା ଭାବ ବାଣ୍ଟେ ପରା
ସନ୍ତୋଷେ ଅନ୍ଧାର ଚିରି ।
ସବୁଜିମା କେତେ ଭରିଥାଏ କ୍ଷେତେ
ସରଗ ପରି ସେ ଦିଶେ
ସମାନେ ତାହାର କେ ଅବା ବାହାର
ସମର୍ଥ ହୋଇ କି ମିଶେ !
ସ୍ନାନେ ମନ ତୋଷି ଭୁଆସୁଣୀ ଯୋଷୀ
ସୋପାନରେ ପାଦ ଘଷେ
ସରୋବରେ ଗଭା ଫିଟାଇ କି ଅବା
ସଙ୍କୋଚେ ମୁରୁକି ହସେ ।
ସଖୀ ତା ଚତୁରା ହଳଦୀ ବତୁରା
ସାଇତି ରଖିଛି ଘୋରି
ସିକ୍ତ ବାସ ଖୋଲି ସାରା ଅଙ୍ଗେ ବୋଳି
ସତେ କି ହୋଇବ ଗୋରୀ ।
ସଲିଳେ କି ଦ୍ରବି ଚହଲିଲେ ଛବି
ସରମି ଦେଖଇ ଥରେ
ସଳଖି ବଦନ ଚାହଁନ୍ତେ ମଦନ
ସ୍ମରଇ ପୀରତି ଭରେ ।
ସଜନୀର ବାଦେ ସଜଳ ତା' ପାଦେ
ସହଳେ ଚାଲଇ ଡରେ
ସକ୍ଷ ମତେ କେଶ ସଜାଡନ୍ତେ ଲେଶ
ସଙ୍କୋଚେ ଫେରଇ ଘରେ ।
ସେହି ପଥେ ବଧୁ ଆସି ରାତି ଅଧୁ
ସଙ୍ଗୀ ସଙ୍ଗେ କାଟି କାଳ
ସଘନ ପାଗରେ ସଭିଙ୍କ ଆଗରେ
ସ୍ବେଚ୍ଛାରେ ଢାଳିଛି ଝାଳ ।
ସହରେ ତରୁଣ ଭାବରେ କରୁଣ
ସଞ୍ଚାରେ ମାଆର ବୁକେ
ସ୍ବାମୀ ପଥ ଚାହିଁ ଲୁହ ଶୁଖେ ନାହିଁ
ସୁହାଗିନୀ ଥାଏ ଦୁଃଖେ ।
ସହଜେ ସହନ କରଇ ବହନ
ସଂସାର ବନ୍ଧନ ମାୟା
ସେଥିପାଇଁ କାଳେ ଧୂଳିଘର ଟାଳେ
ସମର୍ପି ଶୀତଳ ଛାୟା ।
ସଧବାର ପତି ବିୟୋଗରେ ଅତି
ସଙ୍କଟେ ଇଚ୍ଛି ମୋଚନ
ସ୍ରବେ ଲୁହ ଧାର ଏହି ପଥେ ତାର
ସକତ ବେନି ଲୋଚନ ।
ସୀମା ପାରେ ବସି କେନ୍ଦରାକୁ ଘଷି
ସ୍ବରେ ବାନ୍ଧି ଦୁଃଖ ରାଗ
ସନ୍ୟାସୀ କି ଯୋଗୀ ଗାଆନ୍ତିରେ ଭୋଗୀ
ସରିବୁ ପଛେ କି ଆଗ ।
ପ୍ରସନ୍ନ କୁମାର ମାଦଳା