ସନେଟ -୧୧
ସନେଟ -୧୧
ସେହି ସ୍ମୃତି
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ସେ ଦିନ ସନ୍ଧ୍ୟା ସମୟେ ସେଇ ରମ୍ୟସ୍ଥଳେ
ସୀମନ୍ତିନୀ ସୋହାଗିନୀ ବହୁ ସ୍ନେହ ଭରେ ।।
ସରସିଜ-ସୁକୋମଳ-ଚାମୀକର କରେ
ସୁମନସ ହାର ଘେନି ଦେଇଥିଲା ଗଳେ ।।
ସୁଶୀତଳ ସୁମଧୁର ରଜତ ରାତ୍ରିରେ
ସାରଙ୍ଗ ସୁରସେ ମାତି ନିକୁଞ୍ଜ-କୁଟୀରେ ।।
ସରସେ କପୋତୀ ସମ ପ୍ରଣୟ ବିଭୋରେ
ସ୍ନେହୀ ବିହିଥିଲା ଚୁମ୍ବ ମମ ଲପନରେ ।।
ସୁତକଣ୍ଠ ଗାଉଥିଲା ବସି ଚୂତ ଡାଳେ
ସୁମନ ବିତରୁ ଥିଲା ସୁରଭି ସମୀରେ ।।
ସେକାଳ ସୁଖ ନ ଯାଏ ପାଶୋର ମନରୁ
ସୁନାଶୀର ସୁଖ ବଳି ପାରେ କି ତା ଠାରୁ ।।
ସେହି ସ୍ମୃତି ଘାରେ ଆଜି ମରମେ ମୋହର
ସଂସାର ପଥେ ଗମିବି କେମନ୍ତ ପ୍ରକାର ? ।।
ସମାପ୍ତ