ମାଟିର ମଣିଷ
ମାଟିର ମଣିଷ
1 min
258
ଭ୍ରୁକ୍ଷେପ କରେନାହିଁ କେବେ
ଗ୍ରୀଷ୍ମର ଅଂଶୁମାଳି କୋପ
ବର୍ଷାର ଭୟଙ୍କର ଗର୍ଜନ
ଶୀତର ହୀମ ଆଲିଙ୍ଗନ
କର୍ମ ତା’ର ଅଟଇ ଜୀବନ ।
ଆଳସ୍ୟକୁ ଦୂରେ ଫିଙ୍ଗିଦେଇ
ଲହୁଲୁହ ଢାଳି ପ୍ରାଣଭରି
ଦେଖୁଥାଏ ଭବିଷ୍ୟତ ସ୍ୱପ୍ନ
ସବୁଜ କ୍ଷେତ ପରଦାରେ
ମାଟି ମାଆଙ୍କ କୋଳରେ ।
ସର୍ବଦା ରତ ସେ କର୍ମରେ
ଜଗତର କ୍ଷୁଧା ଦୂର ପାଇଁ
ନିଜ ଉଦର ଜ୍ୱାଳାକୁ ଭୁଲି
ଖଞ୍ଜିଦିଏ ଆନକୁ ଆହାର
କର୍ତ୍ତବ୍ୟ ବୋଲି ଯେ’ ନିଜର ।
କଷଣର କଷଟି ପଥରେ
କଷି ହେଉଥାଏ ଅବିରତ
ଆପଣାର ବାହୁକୁ ଭରସି
ମୁକ୍ତ ଆକାଶର ତଳେ
ବିଭୁକୃପା ଆଶା କରି ।
ହାୟ! ଭାଗ୍ୟର ବିଡମ୍ୱନା
ଚୁରମାର୍ କରିଦିଏ ତା’ର
ସବୁ ସ୍ୱପ୍ନର ଅଟ୍ଟାଳିକା,
ମାଟି ମା’କୁ ଜଣାଏ ବେଦନା
ସେ ଯେ’ ମାଟିର ମଣିଷ ।