ଏଣୁତେଣୁ - ୨୦
ଏଣୁତେଣୁ - ୨୦
ଫେରାଇଲା ବେଳେ ତୁମ ପାଦ
ଫେରୁ ନଥିଲା ସେ ନିଦ
ଯେଉଁ ନିଦକୁ ବାରମ୍ବାର ଶୋଇବାକୁ ଚାହିଁଥିଲ ତୁମେ ଦିନେ ମୋହରି କୋଳରେ ।
ଛିଣ୍ଡାଇଲା ବେଳେ ଆମ ସମ୍ପର୍କ
ଛିଣ୍ଡୁ ନଥିଲା ସେ ଶୋକ
ଯେଉଁ ଶୋକକୁ ମନରେ ମାଖି ଭୁଲିଯିବା ଆମେ ପରସ୍ପରକୁ ଆଗାମୀ ଦିନରେ ।
ଜାଣ ! ତୁମେ ଫେରିଗଲା ପରେ ବି
ଫେରୁ ନଥିଲା ଜୁନ୍ ମାସର ସେ ଝାଇଁ ଝାଇଁ ତାତି
ଜାଣ ! ତୁମେ ଛିଣ୍ଡାଇ ଦେଲା ପରେ ବି
ଛିଣ୍ଡୁ ନଥିଲା ବର୍ଷାର ରିମ୍ ଝିମ୍ ମନମତାଣିଆ ସୁର
ଜାଣ ! ତୁମେ ନଥିଲା ବେଳେ ବି
କେବେ ଲାଗୁ ନଥିଲା ତୁମେ ନାହଁ ବୋଲି ପାଖରେ
ଜିଉଥିଲି ଯେତେବେଳେ ଜୀବନକୁ ହରାଇବା ଓ ହାରିବାର ପ୍ରତିଟି ବିନ୍ୟାସରେ ।
ଏବେ କିନ୍ତୁ ଭାରି ଖାଁ ଖାଁ
ନିଛାଟିଆ ଲାଗେ ଏ ଶୀତୁଆ ରାତି
ସ୍ଵପ୍ନଟିଏ ଦେଖିବାକୁ ବି
ସାହସ ପାଏନି, ମାଡ଼ି ବସେ ଭୀତି ।