ନାରୀ : ଯୋଗଜନ୍ମା ରମଣୀ
ନାରୀ : ଯୋଗଜନ୍ମା ରମଣୀ
ସେ ନାରୀ,ଯୋଗଜନ୍ମା ରମଣୀ
ଅଶାନ୍ତ,ଅସ୍ବଛ,ଦିଗବଳୟ ପରିବ୍ୟାପ୍ତ
ତା' ଜୀବନର ଅକୁହା ରାଗିଣୀ ।।
ଲଳନା,ଭଗ୍ନୀ,ଜାୟା,ଜନନୀ
ଏକ ସିଏ,କିନ୍ତୁ ପ୍ରତ୍ୟେକ ଚରିତ୍ରରେ
ରଚେ ସେ ଭିନ୍ନ କାହାଣୀ ।।
ଚିନ୍ତା ,ଚେତନା,ନୀତି,ନୈତିକତା
ସମ୍ପର୍କର ବର୍ଣ୍ଣବୋଧରେ ସ୍ପଷ୍ଟ ପ୍ରସ୍ଫୁଟିତ
ତା'ର ମହନୀୟତା ।।
ପଣତର ଗଣ୍ଠୁଲିରେ ସାଇତିଛି
ତ୍ୟାଗ,ପ୍ରେମ,କ୍ଷମାର ତ୍ରିବେଣୀ
କିନ୍ତୁ ବ୍ୟଥାସିକ୍ତ ,ଜର୍ଜରିତ
ତା' ପ୍ରଚ୍ଛଦପଟ୍ଟ କାହାଣୀ ।।
ଜୀବନର ନାଗଫାଶରେ
ସମ୍ବନ୍ଧର ବୁଢ଼ିଆଣି ଜାଲରେ
ରହିଥାଏ ଛନ୍ଦି ହୋଇ
ହସି ହସି ବିନାଦ୍ଵିଧାରେ
ଦିଏ ସବୁ ସଳଖେଇ ।।
କରେନି ଭୃକୁଞ୍ଚନ
ହୁଏନି ମ୍ରିୟମାଣ
ସଦା ଥୁଆ ତା'ପାଇଁ
ଶାଣିତ ବାକ୍ୟବାଣ
ଢୋଲପିଟେ
ନିନ୍ଦାର ଗୁଞ୍ଜରଣ
ସହି ସହି ପଥର ସେ
ଲାଗେ,ସତେ ଯେମିତି ଜନ୍ମ ତା'ର
ସବୁକିଛି କରିବାକୁ ସମାଧାନ ।।
କର୍ମ ସମାପନ ପରେ
ଦିଗନ୍ତ ବିସ୍ତାରି ସ୍ୱପ୍ନ ଦେଖେ
ଶୋଇ ଶୋଇ ବିଛଣାରେ,
ଉଚିତ୍ ଅନୁଚିତ୍ ର ଦ୍ୱନ୍ଦରେ
ଲୋତକ ଝରେ ନିର୍ଦ୍ୱନ୍ଦରେ
କେବେ ପୁଣି ରାତି ପାହେ
ବସିରହି ଶଯ୍ୟାଧାରେ ।।
ରାତ୍ର ଶେଷେ,ସିନ୍ଦୁରା ଫାଟେ
ସକାଳ ଆସେ, ସୁରୁଜ ଉଠେ
ଅଧରେ ତା'ର ନବପଲ୍ଲବୀତ
ହସ ଚହଟେ ।।
ଦର୍ପଣ ଆଗରେ
ସିନ୍ଦୁର ଟୋପାର
ବର୍ଣ୍ଣଛିଟାରେ
ଭୁଲିଯାଏ ନିଜର ଅସ୍ତିତ୍ବ,
ଶଙ୍ଖହୁଳହୁଳି ବନ୍ଦାଣ ଥାଳିରେ
ପ୍ରଭୁପଦରେ ମାଗିବସେ
ତା' ଟିକି ସଂସାରର
ବାସ୍ନାୟିତ ଭବିଷ୍ୟତ ।।
ସବୁର ସାମ୍ନା କରିବାକୁ
ହୁଏ ପୁଣି ସଜ୍ଜିତ,
କାହାଣୀ ତାହାର
ସବୁବେଳେ ତରଙ୍ଗାୟିତ ।।
ନାହିଁ ତା'ର ନିଜଘର
ବାଣ୍ଟି ହୁଏ ଦୁଇଘରେ
କହେ ପୁଣି ଖୁସିରେ
ସେଠି ମୋ ବାପଘର
ଆଉ ଏଇଟା
ମୋ ଶାଶୁଘର ।।
ସେ ପରା ଦୁହିତା
ଦୁଇ କୂଳକୁ ହିତା
ସର୍ବସ୍ବ ଅଜାଡି
ହୁଅଇ ଜଗତଜିତା ।।
ଦୁନିଆ କହେ ନାରୀ ଦୁର୍ବଳା,
ଅସହାୟା ଅଵଳା ।।
କିନ୍ତୁ ନା ନା, ସମ୍ପୂର୍ଣ୍ଣ ଭୂଲ
ସୁଯୋଗର ସଦବ୍ୟବହାରରେ,
ଇତିହାସ ଲେଖେ ସ୍ବର୍ଣ୍ଣାକ୍ଷ୍ୟରେ,
ଗଡ଼ ଜିଣିପାରେ,
ସାଜେ ଉଦାହରଣ
ପୁରୁଷ ପ୍ରଧାନ ସମାଜରେ ।।
ନାରୀ ପୁରୁଷର ଅର୍ଦ୍ଧଙ୍ଗିନୀ
ଅଂକଲକ୍ଷ୍ମୀ
ଗୃହଳକ୍ଷ୍ମୀ
ଶୁଭ ବରଦାୟିନୀ
ସେଥିପାଇଁ ସବୁ କଥା ଭୁଲି
ସେ କେବଳ ମଙ୍ଗଳ କାମନାକରେ।।
ଶେଷରେ,କିଛି କଥା କହୁଛି ମନ
ନାରୀ କେବେ ପୂର୍ଣ୍ଣ ସ୍ୱାଧୀନ.....?
ଯେବେ ,କନ୍ୟା ରୂପେ ପିତାର
ଭଗ୍ନୀ ରୂପେ ଭ୍ରାତାର
ପତ୍ନୀ ରୂପେ ପତିର
ମାତା ରୂପେ ପୁତ୍ରର
ହସି ହସି ବିତାଇବ ଜୀବନ
ଯୁଗେ ଯୁଗେ ରହିବ ସ୍ଵାଧୀନ
ନହେଲେ ମାତୃଗର୍ଭରୁ ଶ୍ମଶାନ
ସହୁଥିବ ଜେତକ କଷଣ ।।